ମୋହନା ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଠାରେ ଥିବା ଏମ୍.କେ.ସି.ଜି. ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଅନିୟମିତତାକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଆଜି ଏନେଇ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ଆମ୍ଭେମାନେ ଉକ୍ତ ବିଦ୍ୟାଳୟରେ ଦୀର୍ଘ ବର୍ଷଧରି ଦିବ୍ୟାଙ୍ଗ ଛାତ୍ର ଓ ଛାତ୍ରୀଙ୍କୁ ଧରି ସେବା ମନବୃତି ନେଇ ବିନା ପାରିଶ୍ରମିକରେ କାର୍ଯ୍ୟ କରି ଆସୁଥିଲୁ କିନ୍ତୁ ଉକ୍ତ କେନ୍ଦ୍ର ଅନୁଷ୍ଠାନଟି ୨୦୦୬-୦୭ ମସିହାରେ କେନ୍ଦ୍ରୀୟ ଅନୁଦାନ ସ୍ୱଳ୍ପ ପରିମାଣରେ ଆସିଥିଲା । ସେହି ଦିନ ଠାରୁ କର୍ମଚାରୀମାନେ ଅତି କମ ପାଉଣାରେ କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ହେଲା ସମ୍ପାଦକଙ୍କ ବିନା କମିଟିଙ୍କ ପରାମର୍ଶରେ ମନମୁଖୀ ଭାବେ ଛାତ୍ରାବାସ ପରିଚାଳନା ଏବଂ କର୍ମଚାରୀଙ୍କୁ ଦରମା ଦେଉଥିଲେ । ପ୍ରକାଶ ଥାଉକି କମିଟିଙ୍କ ବିନା ପରାମର୍ଶରେ ନିତି ନିୟମକୁ ପରିବର୍ତ୍ତନ କରି ଦୁର୍ନିତୀ ରାଜ ଚଲାଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟ୍ରେନିଙ୍ଗ ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟର ଅପବ୍ୟବହାର କରି କେନ୍ଦ୍ରୀୟ ଅନୁଦାନକୁ ବାଟମାରଣା କରିଛନ୍ତି । ଜିଲ୍ଲା ଅଧିକାରୀଙ୍କ ପରାମର୍ଶ ନନେଇ ଉକ୍ତ ବିଦ୍ୟାଳୟର ନାମ ପରିବର୍ତ୍ତନ କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ଓ ମାନସିକ ଅନଗ୍ରସର ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ନାମ ଦେଇ ବିଭିନ୍ନ ପଦ ପଦବୀରେ କର୍ମଚାରୀ ନିଯୁକ୍ତ କରି ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ଆଦାୟ କରିଛନ୍ତି । ଏଣୁ କମିଟି ବୃନ୍ଦମାନେ ମଧ୍ୟ ଏହା ଜାଣିପାରି ବିଦ୍ୟାଳୟ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । କର୍ମଚାରୀମାନଙ୍କ ଦରମା ବ୍ୟାଙ୍କ ମାଧ୍ୟମରେ ଟ୍ରାନଞ୍ଜେକ୍ସନ ବା କାରବାର କରି ଫେରସ୍ତ ନେଉଛନ୍ତି । ଯାହାକି ଆମ ପାଖରେ ପ୍ରମାଣ ରହିଅଛି ବୋଲି ଜଣାଇଛନ୍ତି । ଏପରିକି ଦରମା ମାଗିଲେ ଥାନା ଓ ଜେଲରେ ପୁରାଇଦେବାର ଧମକ ଦେଉଛନ୍ତି । ଦୀର୍ଘ ଦିନ ଧରି ଦଣ୍ଡାସି ସାହୁ ସମ୍ପାଦକ ଭାବେ ରହି କ୍ଷମତାର ଅପବ୍ୟବହାର କରି ଆସୁଥିବାର ଉଲ୍ଲେଖ କରିଛନ୍ତି । ଏହିଭଳି ଦୁର୍ନିତିଗ୍ରସ୍ଥ ବ୍ୟକ୍ତିମାନଙ୍କୁ ଶିକ୍ଷାନୁଷ୍ଠାନର ଦାୟିତ୍ୱ ଦେଲେ ଶିକ୍ଷାର ଉନ୍ନତି ହୋଇପାରିବ ନାହିଁ । ଏଣୁ ଏହାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଉପକୃତ ହେବୁ ବୋଲି ନିବେଦନ କରିଛନ୍ତି । ଯଦି ଆଗାମୀ ୧୦ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ଭେ କର୍ମଚାରୀବୃନ୍ଦ ନିଜ ନିଜ ପରିବାର ସହିତ ଗଣଧାରଣାରେ ବସିବୁ ବୋଲି ପଞ୍ଚାନନ ଦାଶ, ତନୁଜ କୁମାର ପ୍ରଧାନ, ସନ୍ତୋଷ କୁମାର ପାତ୍ର, ସୁଜିତ କୁମାର ସାହୁ, ସୁନୀଲ କୁମାର ସ୍ୱାଇଁ, ବାସୁ ଗୌଡ, ଭୀମ ମଳିକ, କନକଲତା ନାୟକ, ସୁନିଲ କୁମାର ନାୟକ ପ୍ରମୁଖ ଜଣାଇଛନ୍ତି ।


