ସବଜେଲରେ କଏଦୀଙ୍କ ମୃତ୍ୟୁ ପରେ ଜେଲରେ ଉତ୍ତେଜନା: ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସବଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ପରେ ଜେଲ ପରିସରରେ କଏଦୀମାନଙ୍କ ତରଫରୁ ଉତ୍ତେଜନା ପ୍ରକାଶ ପାଇଛି. ପାରଳା ସବଜେଲରେ ସରକାରୀ ନିୟମ ଅନୁଯାୟୀ ଜଣେ ବିଶେଷଜ୍ଞ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ରହିବା କଥା. ହେଲେ ବହୁ ବର୍ଷ ହେବ ଏହି 2 ଗୋଟି ପଦବୀ ଖାଲି ପଡିଛି. ଯଦ୍ୱାରା ଜେଲ ପରିସରରେ କଏଦୀମାନଙ୍କ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ କାହାର ସଠିକ ଭାବେ ଚିକିତ୍ସା କରାଯାଇପାରୁନାହିଁ. କଏଦୀ ଅବସ୍ଥା ଜେଲରେ ଗୁରୁତର ହେଲେ ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନାକୁ ନିଆଯାଉଛି. ଏଭଳି ଅବହେଳା ଯୋଗୁଁ କଏଦୀଙ୍କ ଅହେତୁକ ମୃତ୍ୟୁ ଘଟୁଛି ବୋଲି ସବଜେଲ ପରିସରରେ ରହୁଥିବା କଏଦୀମାନେ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ସ୍ଥାୟୀ ଡାକ୍ତର ଫାର୍ମାସିଷ୍ଟ ନିଯୁକ୍ତି ଦାବି କରିଛନ୍ତି. ଗତକାଲି ଜେଲରେ ରହୁଥିବା ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିବା ପରେ ଗଜପତି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପାରଳା ତହସିଲଦାର ନାରାୟଣ ବେହେରା ଗତକାଲି ଅପରାହ୍ନରେ ସବଜେଲର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି. ସେହିଭଳି ଜେଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ବ୍ରହ୍ମପୁର ଜେଲରୁ ସିନିୟର ସୁପରଟେଣ୍ଟ ବୀରେନ୍ଦ୍ର ନାଥ ବାରିକ ପାରଳା ସବଜେଲ ପରିସରରେ ପହଞ୍ଚି ସବୁକିଛି ଅନୁଧ୍ୟାନ କରିଥିଲେ. ଏହି ସମୟରେ ଜେଲରେ ରହୁଥିବା କଏଦୀମାନେ ତୁରନ୍ତ ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ଦାବି କରିଥିଲେ. ସିନିୟର ସୁପରଟେଣ୍ଟ ଏହି ଦାବିକୁ ଜେଲ କର୍ତ୍ତୃପକ୍ଷଙ୍କ ଠାରେ ଉପସ୍ଥାପନା କରି ବିହିତ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିଵି ବୋଲି କଏଦୀଙ୍କୁ ପ୍ରତିଶୃତି ଦେଇଥିଲେ. ବର୍ତ୍ତମାନ ପାରଳାଖେମୁଣ୍ଡି ସବଜେଲରେ 302 ଜଣ କଏଦୀ ବିଚରାଧୀନ କଏଦୀ ଭାବେ ରହୁଥିବା ପାରଳା ସବଜେଲ ସୁପରଟେଣ୍ଟ କାମାକ୍ଷୀ ପ୍ରସାଦ ପତି ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ