ଗଜପତିରେ ବାହାର ରାଜ୍ୟର ଠକଙ୍କ ଆବିର୍ଭାବ ସାବଧାନ ସୁନା ସଫେଇ ଆଳରେ ୨ ତୋଳା ସୁନା ଠକି ନେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବର୍ତ୍ତମାନ ବାହାର ରାଜ୍ୟର ଠକ ମାନଙ୍କର ଆବିର୍ଭାବ ଓ ଲୋକଙ୍କୁ ବିଭିନ୍ନ ଭାବେ ଠକୁଥିବା ଖବର ମିଳିଛି । ସମଗ୍ର ଜିଲ୍ଲାରେ ଏହି ବାହାର ରାଜ୍ୟର ଠକମାନେ ସାଧାରଣତଃ ଫେରିବାଲା ଏବଂ ବିଭିନ୍ନ ଜିନିଷ ବିକ୍ରୀ ନାମରେ ଲୋକଙ୍କୁ ବିଭିନ୍ନ ଭାବେ ଠକୁଛନ୍ତି ।ଲୋକଙ୍କ ସରଳତାର ସୁଯୋଗ ନେଇ ମିଠା ମିଠା କଥା କହି କମ୍ ଦରର ଲୁଗାପଟା,କମ୍ବଳ ଓ ବାସନକୁସନ ଆଦି ସହ କେତେକ ଜିନିଷ ଦେଇ ଠକି ଚାଲିଛନ୍ତି । ବର୍ତ୍ତମାନ ସୁନା ସଫେଇ ନାଁରେ ଠକଙ୍କ ଆବିର୍ଭାବ ହୋଇଛି । ପାରଳାଖେମୁଣ୍ଡି ସହରରେ ସୁନା ସଫେଇ ଆଳ ଦେଖାଇ ୨ତୋଳା ସୁନା ଠକି ଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,ପାରଳା ନୂଆ ପିଡବ୍ଲ୍ୟୁଡି କଲୋନୀ ନିବାସୀ ଉମାଚରଣ ପାତ୍ରଙ୍କ ଅନୁପସ୍ଥିତିରେ ତାଙ୍କ ନିବାସକୁ ଦୁଇ ଜଣ ଅଜଣା ଦୁର୍ବୃତ୍ତ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ସୁନା ସଫେଇ କରିବା ପାଇଁ ଆସିଛୁ ବୋଲି ପରିଚୟ ଦେଇଥିଲେ । ସେମାନଙ୍କ କଥା ଶୁଣି ତାଙ୍କ ଝିଅ ୨ତୋଳା ଓଜନର ସୁନା ହାରଟି ସଫା କରିବାକୁ ଦେଇଥିଲେ । ଏହି ୨ତୋଳା ଓଜନର ସୁନା ହାରଟି ସଫା କରିବାପାଇଁ କିଛି ପାଣି ଆଣିବାକୁ କହିଥିଲେ । ତାଙ୍କ କଥା ଶୁଣି ଏକ ପାତ୍ରରେ ପାଣି ଆଣି ଦେବା ପରେ ସେଥିରେ ସେମାନେ ଆଣିଥିବା କିଛି ରଙ୍ଗର ପାଉଡର ମିଶାଇ ହାରଟି ସେଥି ମଧ୍ୟରେ ପକାଇ ଦେଇଥିଲେ । କିଛି ସମୟ ପରେ ତାହା ବାହାର କରିବ ବୋଲି କହି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସେମାନେ କହିବା ମୁତାବକ କିଛି ସମୟ ପରେ ହାରଟି ଉକ୍ତ ପାଣି ପାତ୍ରରୁ ବାହାର କରିବା ପାଇଁ ଦେଖିଲା ବେଳେ ସେଥିରେ ହାରଟି ନ ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ମୁଣ୍ଡରେ ହାତ ମାରିଥିଲେ । ଏହି ଘଟଣାକୁ ନେଇ ଉମାଚରଣ ପାତ୍ର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ଥାନାରେ ୩୧୬/୨୦ରେ ଏକ ମାମଲା ରୁଜୁ କରାଯାଇଛି । ଏସ୍.ଆଇ. ବିଶ୍ୱଜିତ ଜେନା ଏହାର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।