ସ୍କୁଲ ସ୍ଥାନାନ୍ତର ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ହାଟଡିହି,(ବିକାଶ ବିଶ୍ୱାଳ ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତ ବରାଙ୍ଗ ଗ୍ରାମରେ ଥିବା ୪୮ବର୍ଷର ପୁରୁଣା ବରାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଏବେ ସ୍ଥାନାନ୍ତର ହେଉଥିବା ଜଣାପଡିବାପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହା ବନ୍ୟାପ୍ଲାବିତ ଅଞ୍ଚଳ ଭାବେ ପରିଚିତ । ଏଠାରେ ଶିକ୍ଷାର କୌଣସି ସୁବ୍ୟବସ୍ଥା ନଥିବାବେଳେ ଗ୍ରାମବାସୀଙ୍କ ଉଦ୍ୟମରେ ୧୯୭୨ମସିହାରେ ଏଠାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଯାହାକି ପରେ ସରକାରୀ ଅନୁମତି ମିଳିବାସହ ଏବେ ବରାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାବେ ପରିଚିତ । ଏଠାରେ ଗତ କିଛିବର୍ଷ ହେଲା ଭଙ୍ଗା ଶ୍ରେଣୀଗୃହ, ଶିକ୍ଷକ ସମସ୍ୟା ଭଳି ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ହୋଇ ଯାଇଥିଲା । ଯାହାକୁନେଇ ସରକାର ପ୍ରଚଳନ କରିଥିବା ନୁତନ ଗାଇଡଲାଇନ ଅନୁଯାଇ ଚଳିତବର୍ଷ ଠାରୁ ଏହି ସ୍କୁଲଟି ଶଙ୍ଖୋ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ହୋଇଯିବାକୁ ବସିଛି । ଏବେ ୨୧ଜଣ ଛାତ୍ରଛାତ୍ରୀ ଥିବାବେଳେ ଯଦି ବିଦ୍ୟାଳୟ ଉଠିଯାଏ ତେବେ ଛାତ୍ରଛାତ୍ରୀମାନେ ତିନି କିଲୋମିଟର ଦୁର ଶଙ୍ଖୋ ବିଦ୍ୟାଳୟକୁ ଯିବେ କିପରି ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ହାଟଡିହି-ସମଣା ରାସ୍ତାରେ ଶହଶହ ଭାରିଯାନ ଚଳାଚଳ କରୁଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ କିଏ ସୁରକ୍ଷା ଯୋଗାଇବ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଏହି ଗ୍ରାମଟି ଗୋଟେ ୱାର୍ଡ ଓ ଏହି ସ୍କୁଲକୁ ଗୋଟିଏ ବୁଥ ଭାବେ ବ୍ୟବହାର କରାଯାଏ । ତନ୍ମଧ୍ୟରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରହିଛି । ଗ୍ରାମରେ ୫ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ପ୍ରାୟ ବର୍ଷରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିଥାନ୍ତି । ଏଭଳି ସ୍ଥିତିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠିନଂ ୫୪୯୮ତା ୨୩/୧୨/୨୦୨୦ରେ ଏହି ସ୍କୁଲ ସ୍ଥାନାନ୍ତର ହୋଇଯିବାକୁ ଚିଠି କରିବାପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ମୁକ୍ତେଶ୍ୱର ସା, ହେମଲତା ସା, ସନ୍ଧ୍ୟାରାଣୀ ବେହେରା, କବିତାରାଣୀ ବେହେରା, ସବିତା ବେହେରା, ରଞ୍ଜନ ବେହେରା, ଅନୁପମା ନାୟକ, ଶଶିକାନ୍ତ ନାୟକ, ରଞ୍ଜିତା ନାୟକ, ରମାକାନ୍ତ ନାୟକ, କାମିନି ଧିର, ଶଶିକାନ୍ତ ଧିର, ଜାଡି ଧିର, ତପସ୍ୟା ଧିର, ତପନ ଧିର, ମମତା ନାୟକ, ପ୍ରଦୀପ ବେହେରା, ଉର୍ବସୀ ସା, ରୀନା ଜେନା, ଗୁରିଆ ଜେନା, ଚିନା ଜେନା, ଅରୁପମା ସା, ଉର୍ମିଳା ସା, ନିରଞ୍ଜନ ସା, ସାବିତ୍ରୀ ସା, ବିନୋଦ ବିହାରୀ ସା, ଗାୟତ୍ରୀ ସାଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ସ୍କୁଲର ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦରେ ହାଟଡିହି-ସମଣା ରାସ୍ତାକୁ ଅବରୋଧ କରି ଧାରଣାରେ ବସିରହିଥିଲେ । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଏହି ସର୍ବପୁରାତନ ସ୍କୁଲଟିକୁ ସ୍ଥାନାନ୍ତର ନକରି ପୁର୍ବଭଳି ଚାଲୁ ରଖିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ