ଆସନ୍ତା ୯ରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି
ପୁରୀ : ଆସନ୍ତା କାର୍ତ୍ତିକ ବ୍ରତ ପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବକମିଟିର ନୀତି ଚୂଡ଼ାନ୍ତ ହୋଇଛି । ହବିଷ୍ୟାଳୀଙ୍କ ସୁବିଧା ପାଇଁ ଭୋର ୪ଟାରୁ ଦ୍ୱାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ ନୀତି ଧାର୍ଯ୍ୟ ହୋଇଛି । ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି । ୩ଟି ସ୍ଥାନରେ ରହିବେ ହବିଷ୍ୟାଳୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୩ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୩ଟି ସ୍ଥାନରେ ପ୍ରାୟ ୩ ହଜାର ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ରେଳବାଇ ଟୁରିଷ୍ଟ କମ୍ପେ୍ଲକ୍ସରେ ୯୦୦, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬୦୦ ଓ ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀଙ୍କ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ଆଗ୍ରହୀ ହବିଷ୍ୟାଳୀମାନେ ଆସନ୍ତା ୧୧ ତାରିଖ ମଧ୍ୟରେ ଅନଲାଇନ ଓ ସିଧାସଳଖ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


