ବିଶ୍ୱ କବି ସମ୍ମିଳନୀରେ ମାନନୀୟ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡ଼ୁଙ୍କ ଅଭିଭାଷଣ
ଭୁବନେଶ୍ୱର ବିଶ୍ୱ କବି ସମ୍ମିଳନୀର ଉଦଯାପନୀ ସମାରୋହ ପାଇଁ ସାରା ଭାରତରୁ ଏବଂ ବିଶ୍ୱର ବିଭିନ୍ନ ଦେଶରୁ ଏଠାରେ ଏକତ୍ରିତ ହୋଇଥିବା ପ୍ରତିଭା ସମ୍ପନ୍ନ ଓ ଉତ୍ସାହୀ କବିମାନଙ୍କ ଗହଣରେ ନିଜକୁ ପାଇ ମୁଁ ଆନନ୍ଦିତ । କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (କିଟ) ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ)କୁ ଆସି ମୁଁ ଆନନ୍ଦିତ । ଦେଶ ତଥା ବିଦେଶର ୨୭ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏହି ଶିକ୍ଷାନୁଷ୍ଠାନର ଗୌରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉକ୍ରର୍ଷ ପ୍ରତି ପୂର୍ଣ୍ଣ ସମର୍ପଣ ଲାଗି ଏହି ଶିକ୍ଷାନୁଷ୍ଠାନ ବିଭିନ୍ନ ଅନ୍ତର୍ଜାତୀୟ ତଥା ଜାତୀୟ ପୁରସ୍କାର ଓ ସମ୍ମାନ ପାଇଥିବା ଜାଣି ମୁଁ ଆନନ୍ଦିତ । ଜନଜାତି ସମୁଦାୟର ପିଲାମାନଙ୍କୁ ଶିକ୍ଷା ଦାନ ଲାଗି ଏହି ଶିକ୍ଷାନୁଷ୍ଠାନର ପ୍ରୟାସ ମଧ୍ୟ ବାସ୍ତବରେ ଉଲ୍ଲେଖନୀୟ । ସମସ୍ତଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରି ‘ଉକ୍ରର୍ଷ ମାନ୍ୟତା’ ପାଇଥିବା କିଟକୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ ମଧ୍ୟ ଏହି ଅବସରରେ କିଟର ଉତ୍ସାହୀ ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଏବଂ ପ୍ରଶଂସା ଜଣାଇବାକୁ ଚାହେଁ । ଲକ୍ଷ ଲକ୍ଷ ଆଦିବାସୀ ଲୋକଙ୍କ ଜୀବନରେ ସଂସ୍କାର ଓ ପରିବର୍ତନ ଆଣିବା ଲାଗି ତାଙ୍କର ନିରନ୍ତର ପ୍ରୟାସ ବାସ୍ତବରେ ପ୍ରଶଂସନୀୟ । ଶାନ୍ତି ଓ ଭ୍ରାତୃତ୍ୱ ଭାବର ପ୍ରୋତ୍ସାହନ ଲାଗି କବିତାକୁ ଶ୍ରେଷ୍ଠ ମାଧ୍ୟମ ଭାବେ ପରିକଳ୍ପନା କରିଥିବାରୁ ତାଙ୍କୁ ମୁଁ ପ୍ରଶଂସା କରିବାକୁ ଚାହେଁ । ତାଙ୍କର ଏହି ପରିକଳ୍ପନା କାରଣରୁ ଆଜି ଆମେ ସମସ୍ତେ ଏଠାରେ ବିଚାର, ଶବ୍ଦ, ଭାଷା, ଛନ୍ଦ ଓ ଅର୍ଥର ଉତ୍ସବ ପାଳିବା ଲାଗି ଏକାଠି ହୋଇଛୁ । ବିଶ୍ୱ କବି ସମ୍ମିଳନୀ ଚଳିତ ବର୍ଷ ଭାରତର ଏହି ସୁନ୍ଦର ଏବଂ ଐତିହାସିକ ରାଜ୍ୟ ଓଡ଼ିଶାରେ ଆୟୋଜନ କରାଯିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ । ଏହି ସମ୍ମିଳନୀର ବିଷୟବସ୍ତୁ “କବିତା ମାଧ୍ୟମରେ ସହୃଦୟତା” ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ । ମୋର ବିଶ୍ୱାସ ଯେ କରୁଣା ଆମ ସମସ୍ତଙ୍କର ଜନ୍ମଜାତ ପ୍ରବୃତି । ଏହାକୁ ଆମେ ହୃଦୟଙ୍ଗମ କରିବା ଉଚିତ ଏବଂ ଯେ ପର୍ଯ୍ୟନ୍ତ ଏହା ଆମ ଅଭ୍ୟାସ ଓ କାର୍ଯ୍ୟରେ ପରିଣତ ନହୋଇଛି ଏହାକୁ ସଚେତନ ଭାବେ ଅଭ୍ୟାସ କରିବା ଉଚିତ ।


