ଦୀର୍ଘ ୯ମାସ ପରେ ଗଜପତିର ୪ଗୋଟି ହଲରୁ ୨ଟି ଖୋଲିଲା, ଦର୍ଶକ ଆସୁନଥିବାରୁ ମାଲିକ ହତାଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦୀର୍ଘ ୯ମାସ ପରେ ଗଜପତିରେ ୪ଗୋଟି ସିନେମା ହଲରୁ ୨ଗୋଟି ହଲ ଆଜି ଠାରୁ ଆରମ୍ଭ ହୋଇଛି । ଏତେ ଦିନ ପରେ ସିନେମା ହଲ ଖୋଲିବା ସତ୍ୱେ ଦର୍ଶକଙ୍କ ଭିଡ ଦେଖା ଯାଇନାହିଁ । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସମଗ୍ର ଜିଲ୍ଲା ପାଇଁ ନଟରାଜ, ଏସ.କେ.,ଜୟା ଓ ଲକ୍ଷ୍ମୀ ସିନେମା ହଲ ନାମରେ ମାତ୍ର ୪ଗୋଟି ହଲ ରହିଛି । ଆନ୍ଧ୍ର ସୀମାନ୍ତରେ ପାରଳା ସହର ଓ ଗୋଷାଣୀ,କାଶୀନଗର ବ୍ଲକ ରହିଛି ।ଏହି ୩ଟି ଅଞ୍ଚଳରେ ତେଲୁଗୁ ସଂପ୍ରଦାୟର ଲୋକ ବାସ କରୁଥିବାରୁ ଆନ୍ଧ୍ର ଭଳି ଏହି ଅଞ୍ଚଳ ଗୁଡିକରେ ତେଲୁଗୁ ସିନେମାର ବେଶ୍ ପ୍ରଭାବ ରହିଛି । ବର୍ତ୍ତମାନ ତେଲୁଗୁ ମାନଙ୍କ ମୁଖ୍ୟ ପର୍ବ ପୋଙ୍ଗଲ୍ ଆଗାମୀ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଏସ.କେ ଓ ଲକ୍ଷ୍ମୀ ସିନେମା ହଲରେ ପ୍ରଖ୍ୟାତ ତେଲୁଗୁ ଷ୍ଟାର ରବିତେଜାଙ୍କ (କ୍ରାକ୍‌) ସିନେମା ୨ଟି ହଲରେ ଆଜି ଠାରୁ ରିଲିଜ ହୋଇ ପ୍ରଦର୍ଶନ ଆରମ୍ଭ ହୋଇଛି । ପ୍ରଶାସନର କଡା ନିର୍ଦ୍ଦେଶ ଓ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଭାବେ ମାନିବା ସହ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ସିନେମା ହଲର କ୍ୟାପାସିଟିରୁ ମାତ୍ର ୫୦% ଦର୍ଶକଙ୍କୁ ନେଇ ସିନେମା ହଲ ଚଲାଇବା ନିୟମକୁ ହଲ ମାଲିକାନା କଡାକଡି ଭାବେ ପାଳନ କରି ପ୍ରଦର୍ଶନ ଆଜି ଠାରୁ ଆରମ୍ଭ କରିଥିଲେ । ହେଲେ ଆଜି ନୁନ୍ ଓ ମ୍ୟାଟିନି ସୋରେ ମାତ୍ର ହାତ ଗଣତି କିଛି ଦର୍ଶକ ହଲକୁ ଆସିଥିଲେ । ତେଲୁଗୁ ପର୍ବ ପୋଙ୍ଗଲକୁ ଦୃଷ୍ଟିରେ ରଖି ଅଧିକ ଅର୍ଥ ଭଡା ଦେଇ ୨ଟି ହଲରେ ଗୋଟିଏ ସିନେମା ରିଲିଜ୍ କରିଥିଲେ ମଧ୍ୟ ଦର୍ଶକ ହଲକୁ ନ ଆସିବା ଦେଖି ମାଲିକମାନେ ହତାଶ ହୋଇଛନ୍ତି । ପାରଳା ସହରର ନଟରାଜ ଜୟା ସିନେମା ହଲକୁ ନୂତନ ସିନେମା ନ ମିଳିବାରୁ ୨ଟି ହଲ ଖୋଲି ପାରିନାହିଁ । କୋଭିଡ୍ ଯୋଗୁଁ ଗତ ୯ମାସ ଧରି ସିନେମା ହଲ ବନ୍ଦ ହେବା ଦ୍ୱାରା ମାଲିକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ୯ମାସ ପରେ ସିନେମା ହଲ ଖୋଲାଗଲେ ଦର୍ଶକ ହଲକୁ ଆସୁନଥିବା ଦେଖି ଆଗାମୀ ଦିନରେ ସିନେମା ହଲ କିପରି ଚାଲିବ ସେ ନେଇ ମାଲିକମାନେ ଚିନ୍ତିତ ଅଛନ୍ତି । ରାଜ୍ୟ ସରକାର ମାଲିକଙ୍କ ଏଭଳି ଅବସ୍ଥାକୁ ଦେଖି ସହାୟତାର ହାତ ବଢାଇବା ପାଇଁ ପାରଳା ସହରର ସିନେମା ହଲ ମାଲିକମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ