ପେଟ୍ରୋଲ୍ ୮୫ ଟପିଲା: ଗ୍ରାହକ ଗଣୁଛନ୍ତି ୬୨% ଟିକସ
ଭୁବନେଶ୍ବର: ପେଟ୍ରୋଲ୍ ଦାମ୍ ପୁଣି ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କରିଛି। ଭୁବନେଶ୍ବରରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୮୫ ଟଙ୍କାରୁ ଅଧିକ ହୋଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ବୃଦ୍ଧି ପାଉଥିବାରୁ ଦେଶ ଭିତରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବୃଦ୍ଧି ପାଇଛି। ଆଜି ଭୁବନେଶ୍ବରରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୮୫ ଟଙ୍କା ୧୧ ପଇସା ରହିଛି। ଡିଜେଲ ଦାମ୍ ୮୧ ଟଙ୍କା ୩୧ ପଇସା ରହିଛି। ଆଜି ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୮୪ ଟଙ୍କା ୪୫ ପଇସା ଓ ଡିଜେଲ୍ ଦାମ୍ ୭୪ ଟଙ୍କା ୬୩ ପଇସା ରହିଛି। ଦିଲ୍ଲୀ ତୁଳନାରେ ଭୁବନେଶ୍ବରରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅଧିକ ରହିଛି। ଡିଜେଲ୍ ଦାମ୍ ଦିଲ୍ଲୀ ତୁଳନାରେ ପ୍ରାୟ ୬ ଟଙ୍କା ଅଧିକ ରହୁଛି। ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ୯୧ ଟଙ୍କା ୭ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଦାମ୍ ୮୧ ଟଙ୍କା ୩୪ ପଇସା ରହିଛି।୨୦୨୦ ଡିସେମ୍ବର ୭ରୁ ୨୦୨୧ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ତୈଳ ଦର ଅପରିବର୍ତି ରହିଥିଲା। ଜାନୁଆରି ୬ରୁ ଆରମ୍ଭ ହୋଇଥିବା ଦରବୃଦ୍ଧି ଧାରା ଜାରି ରହିଛି। ଆନ୍ତର୍ଜାତିକ ବଜାରରେ ଗତ ସାତ ଦିନ ଧରି ପେଟ୍ରୋଲ୍ ଦାମ୍ ବଢ଼ୁଛି। ୟୁଏସ୍ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଏଟ୍ର ବ୍ୟାରେଲ ପିଛା ଦାମ୍ ୫୩. ୮୮ ଡଲାର ରହିଥିବା ବେଳେ ବ୍ରେଣ୍ଟ୍ କ୍ରୁଡ୍ର ଦାମ୍ ୫୭.୩୭ ଡଲାର ରହିଛି। ପେଟ୍ରୋଲ୍ ଓ ଡିଜେଲ୍ ଦରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ମାତ୍ରାର ଟିକସ ଲଗାଇଛନ୍ତି। ଉଭୟ ତେଲ ଦାମ୍ର ଅଧାରୁ ଅଧିକ ଭାଗ ହେଉଛି ଟିକସ। କରୋନା ବ୍ୟାପିବା ପରେ ସରକାରଙ୍କ ରାଜସ୍ବ ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଟିକସ ହ୍ରାସ କରିବା ବିଷୟରେ ସରକାର ଚିନ୍ତା ମଧ୍ୟ କରିପାରୁନାହାନ୍ତି। କରୋନା ସଂକ୍ରମଣ ରୋକିବାକୁ ଲକ୍ଡାଉନ୍ ଘୋଷଣା କରାଯିବା ପରେ ୨୦୨୦ ଏପ୍ରିଲ୍ରୁ ତେଲ ଚାହିଦା ହ୍ରାସ ପାଇଥିଲା। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ରେ ମଧ୍ୟ ୩୦% ହ୍ରାସ ଘଟିଥିଲା।


