ଜୁଆ ଆଡ୍ଡାକୁ ଚଢଉ ବେଳେ ଆକ୍ରମଣ;ଥାନା ଅଧିକାରୀଙ୍କ ସମେତ ୫ ଆହତ
ଆକ୍ରମଣକାରୀଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଜୁଆ ଆଡ୍ଡାକୁ ଚଢାଉ କରିବା ବେଳେ ଥାନା ଅଧିକାରୀଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଅତର୍କିତ ଆକ୍ରମଣ । ଥାନା ଅଧିକାରୀଙ୍କ ସମେତ ୫ଜଣ ଏହି ଘଟଣାରେ ଆହତ ହୋଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୁତ୍ରରୁ ସୁଚନା ମିଳିଛି । ଆକ୍ରମଣକାରୀ ମାନଙ୍କୁ ଅତି ତୁରନ୍ତ ଗିରଫ କରାଯିବ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ ପ୍ରକାଶ କରି କହିଛନ୍ତି,ଏଥି ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଓ ଗୋଷାଣୀ ବ୍ଲକ ଖରସଣ୍ଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ରାତ୍ର ୮.୩୦ ସମୟରେ ଚଢାଉ କରିବାକୁ ଯାଇଥିବା ପୋଲସ ଟିମ୍କୁ ଜୁଆଡି ଓ ଗ୍ର।।ମବାସୀମାନେ ଏକତ୍ରିତ ହୋଇ ଅତର୍କିତ ଆକ୍ରମଣ କରିଥିଲେ । ଏମାନେ ପୋଲିସ ଉପରକୁ ପଥର ମାଡ କରିଥିଲେ । ଏହାସହ ଗାଡିକୁ ବି ଭଙ୍ଗାରୁଜା କରିଛନ୍ତି । ଏଥିରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବହୁଦିନ ହେଲା ଉକ୍ତ ଅଞ୍ଚଳରେ ଜୁଆ ଆଡ୍ଡା ଚାଲୁଥିବା ଖବର ଥିଲା । ଗତକାଲି ରାତିରେ ଓଆଇସି ମମତା ପଣ୍ଡା ଓ ୪ଜଣ କନେଷ୍ଟେବଲ୍ ଚଢଉ କରିଥିଲେ । ପୋଲିସ ଟିମ୍କୁ ଦେଖି ଜୁଆଡି ଓ ଗ୍ରାମବାସୀମାନେ ପ୍ରବଳ ପଥର ମାଡ କରିଥିଲେ । କୌଣସି ମତେ ପୋଲିସ ଟିମ୍ ସେଠାରୁ ଫେରିଥିଲେ । ଖବର ମିଳିବା ସୁଦ୍ଧା,ଗାଁରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଗଜପତି ଅତିରିକ୍ତ ଏସପି ସୀତାରାମ ଶତପଥୀ ଓ ପାରଳା ଏସଡିପିଓ ଆର୍.କେ.ପତି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି । ଭଙ୍ଗା ପୋଲିସ ଗାଡିଟି ଖରସଣ୍ଡା ଗାଁରେ ଅଟକି ରହିଥିବା ଜଣାପଡିଛି । ଗତକାଲି ରାତ୍ର ୯.୩୦ ସମୟରେ ମାଜଷ୍ଟ୍ରେଟ ଭାବେ ପାରଳା ତହସିଲଦାର ଅଚ୍ୟୁତା ନନ୍ଦ ଜାନୀ ଓ ପୋଲିସ ଏସଡିପିଓ ଆର.କେ.ପତି ଖରସଣ୍ଡା ଗ୍ରାମକୁ ଯାଇ ସମସ୍ତ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି । ଏ ନେଇ ଆଜି ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ଜୁଆଡି ଓ ଗ୍ରାମବାସୀମାନେ କାର୍ଯରତ ପୋଲିସ କର୍ମଚାରୀ ମାନଙ୍କୁ ଆକ୍ରମଣ ଘଟଣାର ଦୃଢ ନିନ୍ଦା କରି ପ୍ରକାଶ କରିଛନ୍ତି, ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୋଲିସ ଅତି ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ସୁଚନା ଦେଇଛନ୍ତି ।