ପୁରୁଷୋତମପୁର ଓ ଛତ୍ରପୁର ଉପଖଣ୍ଡସ୍ତରୀୟ ପୁଲିସ ଅପରାଧ ସମୀକ୍ଷା ବୈଠକ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ପୁରୁଷୋତମପୁର ଓ ଛତ୍ରପୁର ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ ସ୍ଥାନୀୟଏସପିଙ୍କ ସମ୍ମିଳନୀ କକ୍ଷରେ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ଏସପି ଶ୍ରୀ ରାଏ ନିର୍ଦ୍ଦେଶ ଦେଇଥିଲେ । ଦୁଇଟି ଉପଖଣ୍ଡ ସ୍ତରରେ ଅପରାଧି, ପୁରୁଣା ୱାରେଂଟ୍, ମାଦକ ଦ୍ରବ୍ୟ କାରବାର ଧରପଗଡ଼ ସହ ଯାନବାହାନ ଯାଂଚ କଡ଼ାକଡି କରିବା ଏବଂ ନୀୟମିତ ଜୁଆ ଆଡ୍ଡା ଗୁଡିକ ଉପରେ ଚଢଉ ଜାରି ରଖିବା ଓ ବିଶୃଙ୍ଖଳାକୁ ନଜର ରଖି ଠିକ୍ ସମୟରେ ଠିକଣା ସ୍ଥଳରେ ପହଂଚି ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପି ପରାମର୍ଶ ଦେଇଛନ୍ତି । ଏହାସହ ବର୍ତମାନ ପାର୍ବଣ ଋତୁ ଚାଲିଥିବାରୁ ଏହାକୁ ନଜରରେ ରଖିବା ବିଭିନ୍ନ ଅଂଚଳରେ କିପରୀ ଶାନ୍ତି ଶୃଙ୍ଖଳାରେ ରହିବ ସେଥି ପ୍ରତି ଗୁରୁତ୍ୱାରୋପ କରାଯାଇଥିଲା । ମୋ ସରକାର କାର୍ଯ୍ୟକ୍ରମ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଏସପି ଶ୍ରୀ ରାଏ ବିଭିନ୍ନ ଥାନା ଅଧିକାରୀ ମାନଙ୍କୁ କହିଥିଲେ । ବିଭିନ୍ନ ଥାନାରେ ପଡ଼ି ରହିଥିବା ମାମଲାର ତୁରନ୍ତ ଫଇସଲା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାମଲାର ତଦନ୍ତ ପ୍ରକ୍ରିୟା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ସମସ୍ତ ଦିଗ ଉପରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଲୋକେ ଯେପରି ଠିକ୍ ସମୟରେ ନ୍ୟାୟ ପାଇବେ ସେଦିଗରେ ସଚେତନ ରହିବାକୁ କହିଥିଲେ । ଗ୍ରାମଂଚଳ ଓ ସହରାଂଚଳରେ ପ୍ରତ୍ୟେକ ବ୍ୟକ୍ତି ନିର୍ଭୟରେ କିଭଳି ଜୀବନ ଯାପନ କରିବେ ସେଥି ପ୍ରତି ଗୁରୁତ୍ୱ ଦେବାକୁ ସମସ୍ତ ଥାନାଅଧିକାରୀଙ୍କ୍ୁ କହିଥିଲେ । ଯେଉଁ ନୁଆ ଅପରାଧ ମାନେ ମୁଣ୍ଡ ଟେକୁଛନ୍ତି ସେମାନଙ୍କ ଉପରେ ତିକ୍ଷଣ ଦୃଷ୍ଟି ରଖିବାକୁ କହିଥିଲେ । ଏହା ସହିତ ଜେଲ ଫେରନ୍ତା ଅପରାଧୀମାନଙ୍କ ଉପରେ ମଧ୍ୟ କଡା ନଜର ରଖିବା, ଦୁର୍ଦ୍ଦାନ୍ତ ଅପରାଧୀ ମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଜେଲ ଭିତରେ ରହିଥିବା ଅପରାଧୀ ମାନଙ୍କ ଉପରେ ଫୋକସ୍ ରଖିବା ଉପରେ କୁହଯାଇଛି । ଶିଶୁ ଶ୍ରମିକ, ଦଲାଲମାନଙ୍କ ପ୍ରଲୋଭନର ଶୀକାର ହୋଇ ଦାଦନ ଯାଉଥିବା ଶ୍ରମିକ ମାନଙ୍କ ଉପରେ ବିଭିନ୍ନ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ୍ ଗୁଡ଼ିକରେ ତିକ୍ଷଣ ନଜର ରଖିବା ସହ ନିୟମିତ ଯାଂଚ କରିବା ଉପରେ ଏସପି କହିଥିଲେ । ସାଇବର କ୍ରାଇମ୍, ଏଟିଏମ୍ ଲୁଟେରା ଓ ବ୍ୟାଙ୍କ ଲୁଟେରାଙ୍କ ଉପରେ କଡ଼ା ନଜର ରଖିବା ନେଇ ଥାନା ଅଧିକାରୀଙ୍କୁ ସେ କହିଥିଲେ । ଏହା ସହିତ ନିୟମିତ ଆମ ପୁଲିସ ବୈଠକ କରି ଗ୍ରାମଂଚଳରେ ଗୁଣି ଗାରେଡ଼ି ସନ୍ଦେହ ଦୂର କରିବା ଏବଂ ବରିଷ୍ଠ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ଉପରେ କୁହାଯାଇଛି । ଏହି ବୈଠକରେ ଗଞ୍ଜାମ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡିଏସପି ହେଡକ୍ୱାର୍ଟର ଅଜୟ କୁମାର ମିଶ୍ର, ଡିଏସପି ପି. କେ. ଦଳାଇ ଓ ସାମୁଲସ ପ୍ରଧାନ, ଛତ୍ରପୁର ଏସଡ଼ିପିଓ ଉକ୍ରଳ କେଶରୀ ଦାଶ, ପୁରୁଷୋତମପୁର ଏସଡିପିଓ ନିମାଇଁ ଚରଣ ସେଠୀ , ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗରଙ୍କ ସମେତ ଦୁଇଟି ଉପଖଣ୍ଡ ସ୍ତରର ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।


