ଜିଲ୍ଲା ରେଡ୍କ୍ରସ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ରେଡକ୍ରସ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ପୁନର୍ଗଠିତ ହୋଇଥିବା ଜିଲ୍ଲା ରେଡକ୍ରସ ପରିଚାଳନା କମିଟି ଏବଂ ବିଭିନ୍ନ ସଦସ୍ୟମାନଙ୍କର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଗତ ଦୁଇ ବର୍ଷ ଧରି ଜିଲ୍ଲା ରେଡକ୍ରସର ଅଡିଟ୍ ହୋଇପାରି ନ ଥିବା ସ୍ଥଳେ ଏହା ତୁରନ୍ତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ରେଡକ୍ରସ ପାଣ୍ଠିକୁ ବିଭିନ୍ନ ସମୟରେ ମିଳିଥିବା ଅର୍ଥରାଶି ଏବଂ ତାହାର ବିନିଯୋଗ, ବ୍ୟାଙ୍କରେ ରହିଥିବା ସ୍ଥାୟୀ ଜମା, ଜୁନିୟର ରେଡକ୍ରସ ଦ୍ୱାରା ଆଦାୟ ହେଉଥିବା ଅର୍ଥରାଶି ଏବଂ ସେମାନଙ୍କର କାର୍ଯ୍ୟଧାରା, ବାର୍ଷିକ ଆୟବ୍ୟୟ ବିବରଣୀ ସମ୍ପର୍କରେ ଗୃହରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଭିନ୍ନ ସମୟରେ ଆର୍ଥିକ ଦୁଃସ୍ଥିତିରେ ଥିବା ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ଅର୍ଥରାଶି ପ୍ରଦାନ କରାଯାଉଥିବା ବେଳେ ଏବେ ଏହାକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ କମିଟି ମାଧ୍ୟମରେ ଏହାର ତଦାରଖ କରିବାକୁ ଗୃହରେ ଉପସ୍ଥିତ ସଦସ୍ୟମାନେ ମତ ରଖିଥିଲେ । ସେହିପରି ବିଭିନ୍ନ ଜାଗାରେ ଭଡା ବା ଲିଜ୍ ସୂତ୍ରରେ ଦିଆଯାଇଥିବା ରେଡକ୍ରସ ସମ୍ପତି ସମେତ ଜବରଦଖଲରେ ଥିବା ଜମିକୁ ଖାଲି କରାଯିବା ସହିତ ତାହାକୁ କିପରି ଉପଯୁକ୍ତ ଢଙ୍ଗରେ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ପାଇଁ ବ୍ୟବହାର କରିହେବ ସେ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୁହାଯାଇଥିଲା । ଆଗାମୀ ଦିନରେ ନିୟମିତ ଭାବେ ଜିଲ୍ଲା ରେଡକ୍ରସ ପରିଚାଳନା କମିଟିର ବୈଠକର ଆୟୋଜନ କରାଯାଇ ରେଡକ୍ରସ କାର୍ଯ୍ୟକ୍ରମକୁ କିଭଳି ତ୍ୱରାନ୍ୱିତ କରିହେବ ଏବଂ ଜିଲ୍ଲା ରେଡକ୍ରସର ଆୟକୁ କିଭଳି ବୃଦ୍ଧି କରିହେବ ସେ ସମ୍ପର୍କରେ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟକୁ ଦିଆ ଯାଇ ନ ଥିବା ଅଂଶଧନ ତୁରନ୍ତ ପଇଠ କରାଯିବା, ଆଗାମୀ ବର୍ଷ ନିମନ୍ତେ କାର୍ଯ୍ୟକ୍ରମର ଚିଠା ପ୍ରସ୍ତୁତ କରିବା, ନୂତନ କମିଟି ଦ୍ୱାରା ପ୍ରତ୍ୟେକ ମାସ ଚତୁର୍ଥ ଶୁକ୍ରବାର ଦିନ ଅର୍ଥ ଆଦାୟ ସମ୍ପର୍କରେ ରିପୋର୍ଟ ଦାଖଲ, ପ୍ରତ୍ୟେକ ମାସରେ ଥରେ ରେଡକ୍ରସ, ଜୁନିଅର ରେଡକ୍ରସ, ୟୁଥ ରେଡକ୍ରସ, ବିପର୍ଯ୍ୟୟ ପରିଚାଳନା କମିଟି, ସ୍ୱାସ୍ଥ୍ୟ କମିଟିକୁ ନେଇ ବୈଠକ କରାଯିବା, ପ୍ରତ୍ୟେକ ମାସ ଦ୍ୱିତୀୟ ଶୁକ୍ରବାର ଦିନ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା । ଏତଦବ୍ୟତୀତ ପୂର୍ବ ଯୁଗ୍ମ ସମ୍ପାଦକ ଶ୍ରୀ ଗଣେଶ୍ୱର ରାଉତଙ୍କୁ ନୂତନ ସମ୍ପାଦକ ଚୟନ କରାଯିବା ପର୍ଯ୍ୟନ୍ତ ସାମୟିକ ଭାବେ ଅବୈତନିକ କାର୍ଯ୍ୟନିର୍ବାହୀ ସମ୍ପାଦକ ଦାୟିତ୍ୱ ତୁଲାଇବାକୁ ସଭାପତି ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ କୋର୍ଟରେ ବିଚାରାଧୀନ ଥିବା ମୋକଦ୍ଦମାକୁ ତୁରନ୍ତ ଫଇସଲା ନିମନ୍ତେ ପଦକ୍ଷେପ ନେବାକୁ ସଭାପତି ଅତିରିକ୍ତ ଜିଲ୍ଲାପାଳକୁ କହିଥିଲେ । ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀର ମରାମତି ଓ ତଦାରଖ ନିମନ୍ତେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ତତ୍ସହିତ ରେଡକ୍ରସ ପାଣ୍ଠିରୁ ବିଭିନ୍ନ ସମୟରେ ଲୋକମାନଙ୍କୁ ଦିଆଯାଇଥିବା ଗୃହର ସ୍ଥିତି, ଏଥି ନିମନ୍ତେ ବ୍ୟବହାର ହୋଇଥିବା ଅର୍ଥ, ବିଭିନ୍ନ ବ୍ଲକରେ ଗଚ୍ଛିତ ଥିବା ଅର୍ଥର ତଦାରଖ ଦାୟିତ୍ୱ ନୂତନ ପରିଚାଳନା କମିଟିକୁ ଦେବା ପାଇଁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା କମିଟିର ଉପସଭାପତି ଶ୍ରୀ ସମ୍ବିତ କୁମାର ନାୟକ, ଜିଲ୍ଲା ରେଡକ୍ରସ ପରିଚାଳନା କମିଟିର ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଉପାଧ୍ୟକ୍ଷା ଡା. ତୁହିନା ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ରୀ ରାଜେଶ କୁମାର ବେହେରା ପ୍ରମୁଖ ମଂଚାସୀନ ଥିବା ବେଳେ କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀ ରାଉତ ବୈଠକରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ନୂତନ ଭାବେ ଜିଲ୍ଲା ରେଡକ୍ରସ ପରିଚାଳନା କମିଟିକୁ ମନୋନୀତ ହୋଇଥିବା ଅବନୀକାନ୍ତ ଭୂୟାଁ, ଲମ୍ବୋଦର ନାୟକ, କମଳଲୋଚନ ଦାସ, ଅମୂଲ୍ୟ କୁମାର ମହାନ୍ତି, ପ୍ରଶାନ୍ତି ପଣ୍ଡା, ସାଗରିକା ମହାନ୍ତିଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ଶେଷରେ ଜରୁରୀକାଳୀନ ଅଧିକାରୀ ତାପସ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


