ଦୁର୍ଘଟଣାରେ ବ୍ରେନ୍ ଡେଡ୍ ହୋଇଥିବା ରାମକୁମାରଙ୍କ ପାଇଁ ୯ ଜଣ ପାଇଲେ ନୂଆ ଜୀବନ କୋଏମ୍ବାଟୁର
କୋଏମ୍ବାଟୁର୍ର ଜଣେ କଲେଜ ଛାତ୍ର ୯ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ୧୮ ବର୍ଷୀୟ ବି ରାମକୁମାର ଗତ ୮ ତାରିଖରେ ମୋଟର ସାଇକେଲ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତେବେ ତାଙ୍କୁ ପ୍ରଥମେ ସରକାରୀ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ କେଏମସିଏଚ୍ (କୋଭାଇ ମେଡିକାଲ ସେଣ୍ଟର ଆଣ୍ଡ୍ ହସ୍ପିଟାଲ୍)କୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତରମାନେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହାପରେ ରାମକୁମାରଙ୍କ ବାପା ବାଲ୍ସୁବ୍ରମଣି ଏବଂ ମା ‘ ସୁପ୍ରିୟା ପୁଅର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଦାନ କରିବାକୁ ଚାହିଥିଲେ । ଏହାପରେ ରାମକୁମାରଙ୍କ ହୃଦୟ, ଫୁସଫୁସ୍, ଯକୃତ,କିଡନି, ଆଖି, ଚର୍ମ ଏବଂ ହାଡ଼କୁ ୯ ଜଣଙ୍କଠାରେ ପ୍ରତିରୋପଣ କରାଯାଇଥିଲା । ସମସ୍ତଙ୍କଠାରେ ଏହାର ପ୍ରତିରୋପଣ ସଫଳ ହୋଇଛି । ରାମକୁମାର ୯ ଜଣଙ୍କୁ ନୂଆ ଜୀବନ ଦେଇଥିବାରୁ ତାଙ୍କ ବାପା ମା ‘ ଖୁବ୍ ଗର୍ବ ଅନୁଭବ କରିଛନ୍ତି । ରାମକୁମାରଙ୍କ ବାପା ମା ‘ ପୁଅକୁ ହରାଇଦେବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ପୁଅ ପାଇଁ ୯ ଜଣଙ୍କ ଜୀବନ ବଞ୍ଚିଯାଇଥିବାରୁ ଖୁବ୍ ଖୁସି ମଧ୍ୟ ହୋଇଛନ୍ତି ।


