ପିଓକେରୁ ଭାରତକୁ ଅନୁପ୍ରବେଶ କରିବା ପାଇଁ ଏଲ୍ଓସିରେ ଛକିଛନ୍ତି ୫୦୦ ଆତଙ୍କବାଦୀ
ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଏବେ ଛକି ରହିଛନ୍ତି ପ୍ରାୟ ୫୦୦ ପାକ୍ ଆତଙ୍କବାଦୀ । ପିଓକେରୁ ଭାରତକୁ ଅନୁପ୍ରବେଶ କରିବା ପାଇଁ ସେମାନେ ସୁଯୋଗ ଖୋଜୁଛନ୍ତି । ପାକିସ୍ତାନ ସମର୍ଥନରେ ଏବେ ପ୍ରାୟ ୨୦୦ରୁ ୩୦୦ ଆତଙ୍କବାଦୀ ଜମ୍ମୁ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ଉତ୍ତର କମାଣ୍ଡ୍ ମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ ରଣବୀର ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପ୍ରାୟ ୫୦୦ ତାଲିମପ୍ରାପ୍ତ ଆତଙ୍କବାଦୀ ଏଲ୍ଓସିରେ ଠୁଳ ହୋଇଥିବାରୁ ସୀମା ସୁରକ୍ଷା କଡ଼ାକଡ଼ି କରାଯାଇଛି । ଜମ୍ମୁ କଶ୍ମୀରରେ ଶାନ୍ତି ଏବଂ ସ୍ୱାଭାବିକ ସ୍ଥିତି ବଜାୟ ରଖିବା ପାଇଁ ସେନା ପକ୍ଷରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ ହେଉଛି, କିନ୍ତୁ ପାକିସ୍ତାନ କଶ୍ମୀରରେ ଶାନ୍ତି ନଷ୍ଟ କରିବାପାଇଁ ବିଭିନ୍ନ ଉପାୟରେ ଉଦ୍ୟମ ଜାରି ରଖୁଛି । ଆତଙ୍କବାଦୀଙ୍କୁ ପାକିସ୍ତାନ ସବୁ ପ୍ରକାର ସମର୍ଥନ ଦେଉଛି । ଆତଙ୍କବାଦୀଙ୍କ ନିକଟରେ ଅସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ଏବେ ଡ୍ରୋନ୍ ବ୍ୟବହାର କରୁଥିବାରୁ ଏହା ଉପରେ କଡ଼ା ନଜର ରଖାଯାଇଛି । ପାକିସ୍ତାନର ସବୁଚକ୍ରାନ୍ତକୁ ପଣ୍ଡ କରିବାପାଇଁ ଭାରତୀୟ ସେନା ସକ୍ଷମ ବୋଲି ସିଂହ କହିଛନ୍ତି ।


