ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା, ଅଭିଯୁକ୍ତଙ୍କୁ ୬ ମାସ ଜେଲ ଦଣ୍ଡାଦେଶ।
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ବୁଧବାର ଏକ ମକଦ୍ଦମା ର ଚୂଡାନ୍ତ ଶୁଣାଣି କରିଛନ୍ତି। ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା ନଂ. ଜି. ଆର – ୧୮୬/୧୦ ର ଶୁଣାଣି କରି ସମୁଦାୟ ୭ ସାକ୍ଷ୍ୟ ଙ୍କ ବୟାନ ଆଧାରରେ ସମସ୍ତ ତଥ୍ୟ ପ୍ରମାଣ କୁ ଭିତ୍ତିକରି ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ନରସିଂହ ମହାନ୍ତି ଙ୍କୁ ଦୋଷୀ ସାବ୍ୟସ୍ତ କରିବାସହ ୬ ମାସ ଜେଲ ଦଣ୍ଡାଦେଶ ର ରାୟ ପ୍ରଦାନ କରିଛନ୍ତି। ରାୟ ଶୁଣାଣି ସମୟରେ ଅଭିଯୁକ୍ତ କୋର୍ଟ ରେ ଉପସ୍ଥିତ ଥିଲେ।ପରେ କୋର୍ଟ ଙ୍କ ଆଦେଶ ବଳରେ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨୦୧୦ ଜୁନ ୩୦ ତାରିଖ ଅପରାହ୍ନ ପ୍ରାୟ ୪ ଟା ରେ ଭୀଷ୍ମଗିରି ଗ୍ରାମର କୁନି ମହାନ୍ତି ନାମ୍ନୀ ଜଣେ ମହିଳା ଘର ବାରଣ୍ଡା ରେ ଠିଆ ହୋଇଥିବା ବେଳେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପଡୋଶୀ ନରସିଂହ ଏବଂ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସି ଘର ପାଖକୁ ଆସି କୁନି ଙ୍କୁ ଅଶାଳିନ ଭାଷାରେ ଗାଳି ଗୁଲଜ କରିଥିଲେ।ପ୍ରତିବାଦ କରିବାରୁ ଉଭୟେ ତାଙ୍କ ଚୁଟି ଧରି ଟାଣି ନେବାସହ ଗାଁ ଡ୍ରେନ ରେ ପକାଇ ମାଡ଼ ମାରିଥିଲେ। ପରେ ନରସିଂହ ତାଙ୍କୁ ଗାଁ ଦାଣ୍ଡରେ ଅସଦାଚରଣ କରିଥିବା ନେଇ ଥାନାରେ ଏତଲା ହୋଇଥିଲା।ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ତତ୍କାଳୀନ ଏ ଏସ ଆଇ ଅଭିମନ୍ୟୁ ବେହେରା ମାମଲା ର ତଦନ୍ତ କରି ୨୦୧୦ ଜୁଲାଇ ୨୭ ତାରିଖରେ କୋର୍ଟ ରେ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ଚାର୍ଜ ସିଟ୍ ପ୍ରଦାନ କରିଥିଲେ। ଗତ ୨୦୨୦ ଡିସେମ୍ବର ୨୩ ତାରିଖରେ ଏହି ମାମଲାର ଶୁଣାଣି କରାଯାଇ ମକଦ୍ଦମା ର ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣବାସି ଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ନମିଳିବାରୁ ମାଜିଷ୍ଟ୍ରେଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମୁଖ୍ୟ ଅଭିଯୁକ୍ତ ନରସିଂହ କୋର୍ଟ ରେ ଅନୁପସ୍ଥିତ ଥିବାରୁ ତାଙ୍କ ବିରୋଧରେ କୋର୍ଟ ଙ୍କ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।ଜାମିନ ବିହୀନ ୱାରେଣ୍ଟ କୁ ଭିତ୍ତି କରି ବୁଧବାର ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିବା ସହ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ହାଜର କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ନକୁଳ ପ୍ରଧାନ ଏବଂ କ୍ୟାଡ଼ର ଏପିପି ବିପ୍ଳବ କୁମାର ମୁଦୁଲି ମାମଲା ପରିଚାଳନା କରୁଥିଲେ।