କ୍ୟାପିଟାଲ୍ ହସ୍ପିଟାଲର କଳା କାହାଣୀ
ଭୁବନେଶ୍ୱର: ଜନନୀ ମୁହଁରେ ଯନ୍ତ୍ରଣାର କାହାଣୀ । ଗତକାଲି ରାଜଧାନୀର ବଡ଼ ସରକାରୀ ହସ୍ପିଟାଲ୍ କ୍ୟାପିଟାଲ୍ ହସ୍ପିଟାଲକୁ ସନ୍ତାନ ପ୍ରସବ ପାଇଁ ଆସି ଚରମ ଅବହେଳାର ଶିକାର ହାଇଥିଲେ । ବ୍ଲଡ୍ ବ୍ୟାଙ୍କ ଫୁଟପାଥରେ ପ୍ରସବ କରିଥିବା ମହିଳା ପାନା ମୁର୍ମୁ ଆଜି ଓଟିଭି ଆଗରେ ବଖାଣିଛନ୍ତି ଛାତିଥରା ଅନୁଭୂତି । ପାନା କହିଛନ୍ତି, ପ୍ରସବ ଯନ୍ତ୍ରଣା ହେବାରୁ ଶୁକ୍ରବାର ରାତି ୮ଟା ଭିତରେ ସେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ । ସେଠାରେ ଦାୟିତ୍ୱରେ ଥିବା ଡାକ୍ତର କିନ୍ତୁ ତାଙ୍କର ଚେକ୍ ଅପ୍ କରି ଘଣ୍ଟାଏ ପରେ ଆସିବାକୁ କହିଥିଲେ । ହେଲେ ଯନ୍ତ୍ରଣା ହେଉଥିବାରୁ ସେ ଅଧଘଣ୍ଟା ପରେ ପୁଣି ଡାକ୍ତରଙ୍କ ପାଖକୁ ଆସିବାରୁ ଦିଦି କୁଆଡ଼େ ତାଙ୍କୁ ଡାକ୍ତରଙ୍କୁ ଦେଖା ନକରେଇ ଫେରେଇ ଦେଇଥିଲେ ।
ହେଲେ ଯନ୍ତ୍ରଣା ପ୍ରବଳ ହେବାରୁ ପ୍ରଥମେ ସେ ସେଇଠି ବସିପଡ଼ିଥିଲେ । ଏହା ପରେ ଜଣେ ସଂପର୍କୀୟଙ୍କ ସହାୟତାରେ ହସ୍ପିଟାଲରୁ ଫେରୁଥିବା ବେଳେ ବ୍ଲଡବ୍ୟାଙ୍କ ପାଖ ଫୁଟ୍ ପାଥ୍ ପାଖରେ ହିଁ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ଏହାପରେ ପୁଲିସ୍ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ଆଉ ସେଠି ବି କୁଆଡ଼େ ଜଣେ ଦିଦି ତାଙ୍କୁ ନାଭିକଟା ବାବଦକୁ ଶହେ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ କରିଛନ୍ତି । ମହିଳା ଜଣକ ତେବେ ଜନନୀ ଯନ୍ତ୍ରଣାର ଏ ଦୃଶ୍ୟ ଭାଇରାଲ୍ ହେବା ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଗତକାଲି କହିଥିଲେ ପ୍ରସବ ପାଇଁ ଟାଇମ୍ ହୋଇନଥିବାରୁ ତାଙ୍କୁ ଟିକେଟ୍ ଆଣିବାକୁ ପଠାଯାଇଥିଲା ।


