ସଡକ ଦୁର୍ଘଟଣାରେ ଯୁବତୀ ମୃତ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅଧୀନ ବ୍ୟାଙ୍କ କଲୋନି ଛକ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଆଜି ସାଢେ ୮ଟାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଆହତ ହୋଇଛନ୍ତି । ମୃତ ଯୁବତୀ ଜଣକ ହେଲେ ବ୍ରହ୍ମପୁର ଖୋଡାସିଂ ଅଂଚଳ ର ସିଲା ନାୟକ(୧୮) ଏବଂ ଯୁବକ ଶିବ ଶଙ୍କର ଜେନା(୨୦) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ, ଓଡି୦୭ଏଜି-୧୨୪୧ ନମ୍ବର ୟାମାହା ଆର୍ୱାନ୍-୫ ବାଇକ୍ରେ ପୁରୀରୁ ବ୍ରହ୍ମପୁରକୁ ଦ୍ରୁତ ବେଗରେ ଯାଉଥିବା ବେଳେ ଛତ୍ରପୁର ବ୍ୟାଙ୍କ କଲୋନି ଜାତୀୟ ରାଜପଥ ଠାରେ ଭାରସାମ୍ୟ ହରାଇ ଶଙ୍ଖକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଯୁବକ ଓ ଯୁବତୀ ଜଣକ ଦୁର୍ଘଟଣା ସ୍ଥଳରୁ ୫୦ ଫୁଟ ଦୂରରେ ଚିଞ୍ଜାଡି ହୋଇ ପଡିଥିଲେ । ବାଇକ୍ ଶଙ୍ଖର ଗୋଟିଏ ସ୍ଥାନରେ ପଡିଥିବା ଦୁହେଁ ଶଙ୍ଖ ଆର ପାରିରେ ପଡିଥିଲେ । ଏହାକୁ ଦେଖି ବ୍ୟାଙ୍କ କଲୋନି ବାସିନ୍ଦା ଅବାକ୍ ହୋଇଥିବା ସହ ସେମାନଙ୍କୁ ଉଦ୍ଧାର କରିବା ଲାଗି କିଛି ସମୟ ଖୋଜିଥିଲେ । ସୂଚନା ପାଇ ଘଟଣା ସ୍ଥଳକୁ ପୁଲିସ ଓ ଛତ୍ରପୁର ଦମକଳ ବାହିନୀ ପହଁଚି ଆହତଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ସିଲାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଶିବ ଶଙ୍କର ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ରେଫର କରାଯାଇଥିଲା l


