ଅଙ୍ଗନବାଡି କେନ୍ଦ୍ରରେ କୁନି ପିଲାଙ୍କୁ ସମ୍ବର୍ଦ୍ଧିତ କଲେ ଉପ ଜିଲ୍ଲାପାଳ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଫେବ୍ରୁଆରୀ ମାସ ପାଇଁ ଜାରି କରିଥିବା କୋଭିଡ ମାର୍ଗଦର୍ଶିକା ଅନୁସାରେ କେବଳ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ୧ତାରିଖରୁ ରାଜ୍ୟର ସବୁ ସ୍ଥାନରେ ଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଖୋଲିବା ଲାଗି କୁହାଯାଇଛି।ଆଇସିଡିଏସ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ଚିଠି ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାର ସବୁ ଅଙ୍ଗନବାଡି କେନ୍ଦ୍ର ଆଜି ଠାରୁ ଖୋଲା ଯାଇଛି।ଏହି ପରିପ୍ରେକ୍ଷୀରେ ସୋମବାର ସ୍ଥାନୀୟ ହିଞ୍ଜିଳିକାଟୁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୋଚିଲିମ୍ମା ପଞ୍ଚାୟତ ଭେଙ୍କେଟରାୟପଲ୍ଲୀ ୨ ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ପ୍ରଭାତ କୁମାର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କୋଭିଡ ମାର୍ଗଦର୍ଶିକା ଅନୁସାରେ ପ୍ରାକ ବିଦ୍ୟାଳୟକୁ ପ୍ରସ୍ତୁତ ହୋଇ ଆସିଥିବା କୁନି କୁନି ପିଲାମାନଙ୍କୁ ବନ୍ଦାପନା କରି ଚକଲେଟ ବଣ୍ଟନ କରି ଭଲ ପାଠ ପଢିବା ପାଇଁ ଉତ୍ସାହିତ କରିଥିଲେ।କରୋନା ସଂକ୍ରମଣ କାରଣରୁ ଗତ ୨୦୨୦ ମସିହା ମାର୍ଚ୍ଚ ୧୫ ତାରିଖରୁ ବନ୍ଦ ଥିବା ହିଞ୍ଜିଳି ପୌରାଞ୍ଚଳର ୩୦ ଟି ଓ ବ୍ଲକର ୧୮୩ ଟି ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ୧୧ ମାସର ବ୍ୟବଧାନ ପରେ ବିଧିବଦ୍ଧ ଭାବେ ଖୋଲା ଯାଇଛି।ସମୁଦାୟ ୫୮୩୯ ଅଧ୍ୟୟନ କରୁଥିବା କୁନି କୁନି ପିଲାଙ୍କୁ ଶୁଖିଲା ଖାଦ୍ୟ ବଦଳରେ ଖାଦ୍ୟ ତାଲିକା ଅନୁସାରେ ଗରମ ରନ୍ଧା ଖାଦ୍ୟ ପରିବେଷଣ ହୋଇଥିବା ସିଡିପିଓ ପାତ୍ର କହିଛନ୍ତି।ଏହା ବ୍ୟତୀତ ୭ମାସ ଠାରୁ ୩ବର୍ଷର ଶିଶୁ,ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଚତୁଆ ଓ ଅଣ୍ଡା ବଣ୍ଟନ କରା ଯାଇଥିବା ସେ ସୂଚନା ଦେଇଛନ୍ତି।ପି ଜୟ,ସୁପର ଭାଇଜର ବନଜା ବେହେରା, ସୋନାଲି ବେହେରା,ୱାଇ ଶୋଭା,ମୁକ୍ତଦେବୀ, ମଧୁଲିକା ପାତ୍ର, ପୁଷ୍ପାଞ୍ଜଳି ବେହେରା ଓ ସାରଦା ଶତପଥୀଙ୍କ ସମେତ ୨୧୩ ଦିଦି ଏବଂ ୨୧୨ ସହାୟିକା ଉପସ୍ଥିତ ଥିଲେ।ହିଞ୍ଜିଳି ପୌରାଞ୍ଚଳ ଓ ବ୍ଲକର ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ କୁନି କୁନି ପିଲାଙ୍କ କୋଳାହଳରେ ମୁଖରିତ ହୋଇ ଉଠିଛି।


