ସୂର୍ଯ୍ୟଙ୍କୁ ଟକ୍କର ଦେବାକୁ ବାମପନ୍ଥୀ ଓ କଂଗ୍ରେସ ମେଳି

ଦିଗପହଣ୍ଡି : କ୍ରମାଗତ ଭାବେ ଦିଗପହଣ୍ଡି ବିଧାନ ସଭା ଆସନରୁ ବିଧାୟକ ଭାବେ ବିଜୟ ଲାଭ କରି ମନ୍ତ୍ରୀ ପାହ୍ୟା ପାଇଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଚଳିତ ସାଧାରଣ ନିର୍ବାଚନରେ ଟକ୍କର ଦେବା ପାଇଁ ବିରୋଧୀ କଂଗ୍ରେସ ଓ ବାମପନ୍ଥୀଙ୍କ ପକ୍ଷରୁ ସମ୍ଝୋତା ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଚୁଡାନ୍ତ ହେବା ପରେ ଶନିବାର ପୂର୍ବାହ୍ନରେ ଉଭୟ କଂଗ୍ରେସ ଓ ବାମପନ୍ଥୀ ନେତା ମାନଙ୍କୁ ନେଇ ଦିଗପହଣ୍ଡି ଗୁପ୍ତେଶ୍ୱର ଶୈବ ପୀଠ ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ଉପସଭାପତି ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବାମପନ୍ଥୀ ନେତା କୈଳାସ ଷଡଙ୍ଗୀ, ଅଶ୍ୱିନୀ ଦାସ, ତପନ ମିଶ୍ର, ନାରୀନେତ୍ରୀ ନୀରୂପମା ପଟ୍ଟନାୟକ ପ୍ରମୁଖଙ୍କ ସମେତ ଦିଗପହଣ୍ଡି ବ୍ଳକ ଅଞ୍ଚଳର ବିଭିନ୍ନ ଅଞ୍ଚଳରୁ ବହୁ ବାମପନ୍ଥୀ ଓ କଂଗ୍ରେସ ଦଳର ଛାମୁଆ କର୍ମୀ ଯୋଗଦାନ କରିଥିଲେ । ବିଶେଷ କରି ଦିଗପହଣ୍ଡି ଅଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ଛେଳିଗଡ ଜଳ ସେଚନ ଯୋଜନା କାର୍ଯ୍ୟକାରୀ, ଉପଯୁକ୍ତ ହିତାଧିକାରୀଙ୍କୁ ସରକାରୀ ଯୋଜନା ଯୋଗାଇଦେବା ଭଳି ବିଭିନ୍ନ ନିର୍ବାଚନୀ ଇସ୍ତହାର ଲୋକଙ୍କ ପାଇଁ ମିଥ୍ୟା ପ୍ରତିଶୃତି ହୋଇଥିବା ବେଳେ ଚଳିତ ନିର୍ବାଚନରେ ଜନତା ଉଚିତ୍ ଜବାବ୍ ଭୋଟ ମାଧ୍ୟମରେ ଦେବେ ବୋଲି ବୈଠକରେ ଗଣମାଧ୍ୟମକୁ ନେତୃବୃନ୍ଦ କହିଥିଲେ । ସେହିପରି ଦିଗପହଣ୍ଡି ଏନଏସିରେ ପୂର୍ବରୁ ନଗରପାଳ, ଉପନଗରପାଳ ଏବଂ କାଉନସିଲର୍ ରହିଥିବା ସ୍ଥାନୀୟ ଜନପ୍ରତିନିଧିଙ୍କୁ ଚଳିତ ବିଧାନ ସଭା ନିର୍ବାଚନରେ ବିଜୟ କରିବା ପାଇଁ ସମସ୍ତ ପ୍ରକାର ରଣକୌଶଳ ନିତୀ ପ୍ରସ୍ତୁତ କରାଯାଉଥିବା ବେଳେ ବିରୋଧି ଓ ଅସନ୍ତୋଷ ଗୋଷ୍ଠୀଙ୍କୁ ନେଇ କଂଗ୍ରେସ ବିଜୟ ଲାଭ କରିବ ଏବଂ ନିଜର ପରାକାଷ୍ଠା ପ୍ରଦର୍ଶନ କରିବ ବୋଲି ବୈଠକରେ ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମା ରାଜୁ, ସଦାନନ୍ଦ ଦୋରା, ବିଚିତ୍ର ପଟ୍ଟନାୟକ, ବିକାଶ ପଶୁପାଳକ, କେ.କୁନା, ବିଘ୍ନରାଜ ପାଣିଗ୍ରାହୀ, ଦୀପକ ମିଶ୍ର ପ୍ରମୁଖଙ୍କ ସମେତ ବହୁ ବାମପନ୍ଥୀ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ