ଭାରତୀୟ ହୋଇଥିବାରୁ ଭାଗ୍ୟବାନ୍ ମନେକରୁଛି: ରତନ ଟାଟା
ନୂଆଦିଲ୍ଲୀ: କିଂବଦନ୍ତି ଭାରତୀୟ ବ୍ୟବସାୟୀ ଏବଂ ଟାଟା ଟ୍ରଷ୍ଟ୍ର ଅଧ୍ୟକ୍ଷ ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ବହୁସଂଖ୍ୟକ ଟୁଇଟର୍ ବ୍ୟବହାରକାରୀ ଚଳାଇଥିବା ଅଭିଯାନର ଅବସାନ ଘଟିବା ଆବଶ୍ୟକ ବୋଲି ସ୍ୱୟଂ ରତନ ଟାଟା କହିଛନ୍ତି। ଟୁଇଟର୍ରେ ଦେଇଥିବା ଏକ ବିବୃତିରେ ଆଜି ସେ କହିଛନ୍ତି, ପୁରସ୍କାର ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ କିଛି ବ୍ୟକ୍ତି ବ୍ୟକ୍ତ କରିଥିବା ଭାବାବେଗକୁ ପ୍ରଶଂସା କରୁଥିଲେ ମଧ୍ୟ ଏଭଳି ଅଭିଯାନ ବନ୍ଦ କରିବା ଲାଗି ମୁଁ ସବିନୟ ଅନୁରୋଧ କରୁଛି। ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବା ଲାଗି ଦାବି କରି ସାମାଜିକ ଗଣମାଧ୍ୟମରେ ଚାଲିଥିବା ଅଭିଯାନ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ରତନ ଟାଟା କହିଛନ୍ତି, ବରଂ ଜଣେ ଭାରତୀୟ ହୋଇ ଭାରତର ଅଭିବୃଦ୍ଧି ଓ ସମୃଦ୍ଧିରେ ଅବଦାନ ଦେବାକୁ ଉଦ୍ୟମ କରିଥିବାରୁ ମୁଁ ଭାଗ୍ୟବାନ ମନେକରୁଛି। ଟାଟା ସାମ୍ରାଜ୍ୟର ଏହି ୮୩ ବର୍ଷିୟ ଉତ୍ତରାଧିକାରୀ ରତନ ହେଉଛନ୍ତି ହାର୍ଭାର୍ଡ ବିଜ୍ନେସ୍ ସ୍କୁଲ୍ର ସ୍ନାତକ। ଭାରତର ଅଭିବୃଦ୍ଧି ସହ କର୍ମସଂସ୍ଥାନ ସୃଷ୍ଟି କରି ସେ ଟାଟା ଶିଳ୍ପକୁ ସଫଳତାର ଶିଖରରେ ପହଞ୍ଚାଇଛନ୍ତି। ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଶୁକ୍ରବାର ଠାରୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଭାରତ ସରକାରଙ୍କୁ ଟୁଇଟ୍ କରି ଦାବି ଜଣାଇ ଆସୁଛନ୍ତି।


