କଲେଜ ମଞ୍ଚରେ ମିଳିଥିଲା ଆତ୍ମବିଶ୍ୱାସ

ଓଡ଼ିଆ ସଙ୍ଗୀତ ଦୁନିିଆରେ ଆର୍‌.ଏସ୍‌. କୁମାର ହେଉଛନ୍ତି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ । ଇତି ମଧ୍ୟରେ ୪୦ରୁ ଅଧିକ ସିନେମା ଗୀତ ଓ ୧୫୦ରୁ ଅଧିକ ଆଲବମ୍ ଗୀତରେ କଣ୍ଠଦାନ କରିଛନ୍ତି । “ଭଲପାଏ ତତେ ୧୦୦ରୁ ୧୦୦’ ଚଳଚ୍ଚିତ୍ରରେ “ସବୁ ମାୟାରେ ବାୟା’ ଗୀତ ହେଉଛିି ଆର.ଏସ୍‌.ଙ୍କ ଲାଟେଷ୍ଟ ସୁପରହିଟ ଗୀତ । “ସପନର ପଥେ ପଥେ’ ଚଳଚ୍ଚିତ୍ରର “ମୌଲା ମୌଲା’ ଗୀତ ନିିମନ୍ତେ ରାଜ୍ୟ ପୁରସ୍କାର ପ୍ରାପ୍ତ ଆର୍‌.ଏସ୍‌.ଙ୍କ ଏବେ ନିଜ ଅନୁଭୂତି ବଖାଣିଛନ୍ତି । କଣ୍ଠଶିଳ୍ପୀମାନଙ୍କ ପାଇଁ ଶ୍ରୋତା ହେଉଛନ୍ତି ଭଗବାନ । ସେମାନଙ୍କ କରତାଳି ଜଣେ କଣ୍ଠଶିଳ୍ପୀଙ୍କ ପାଇଁ ଆଶୀର୍ବାଦ ସଦୃଶ । ଯଦି କରତାଳି ଶୁଭେନିି ତା’ହେଲେ ମଞ୍ଚ ଉପରେ ଗୀତ ଗାଇବାର ଉତ୍ସାହ ବି କମିଯାଏ । ଏବେ ମଞ୍ଚକୁ ଚଢ଼ିଲେ କରତାଳି ଶୁଭୁଛି । ହେଲେ ପୂର୍ବରୁ ମଞ୍ଚ ଉପରର ଘଟଣାକୁ ନେଇ ଅନେକ ଅନୁଭୂତି ଅଛି । ୨୦୦୮ ମସିହା । ବାଲେଶ୍ୱର ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ପଢ଼ୁଥାଏ । ସିନିିୟରମାନଙ୍କୁ ନିବେଦନ କରି କଲେଜ ବାର୍ଷିକ ଉତ୍ସବରେ ଗୀତ ଗାଇବାର ଅନୁମତି ପାଇଥିଲି । ଜାଣି ନ ଥିଲି କେତେବେଳେ ମୋତେ ଗୀତ ଗାଇବାକୁ ଡକାଯିବ । ଉତ୍ସବ ଆରମ୍ଭର ୨ରୁ ୩ ଘଣ୍ଟା ଯାଏ ସିନିୟରମାନେ ମଞ୍ଚ ଉପରେ ବିଭିନ୍ନ କାର୍ଯ୍ୟକ୍ରମ କଲେ । ମୋ ପାଳି ପଡ଼ିଲା ବେଳକୁ ଦିନ ପ୍ରାୟ ୧.୩୦କି ୨ଟା ବାଜିଯାଇଥାଏ । ଏହାଛଡ଼ା ସେତେବେଳେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବି ହୋଇସାରିଥାଏ । ମୋ ନାଁ ଡକାଗଲା ଓ ଏକଥା ବି ଘୋଷଣା କରାଗଲା ଯେ, ମଧ୍ୟାହ୍ନ ଭୋଜନ ସ୍ଥଳ ନିକଟରେ ସମସ୍ତେ ଉପସ୍ଥିତ ରହିବାକୁ । ମୁଁ ମଞ୍ଚକୁ ଚଢ଼ିବା ବେଳକୁ ଜଣେ ଜଣେ ଚେୟାର ଛାଡୁଥିବାର ଦୃଶ୍ୟ ଦେଖୁଥାଏ । ଆଖି ବନ୍ଦ କରିଥିଲି ଓ ଗୀତ ଗାଇବା ଆରମ୍ଭ କରିଥିଲି । “ଏ ଜୀବନ ଯଉବନ..’ ଭଜନ ଗୀତ ଗାଇଥିଲି । ହେଲେ ଗୋଟିଏ ପଦ ଗୀତ ଗାଇ ଆଖି ଖୋଲିଲା ବେଳକୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଆଖିରେ ପଡ଼ିଥିଲା । ସବୁ ଚେୟାର ଫିଲଅପ୍ । ଏହାପରଠାରୁ ନିଜ ଉପରେ ବିଶ୍ୱାସ ଆସିଯାଇଥିଲା । ସେଦିନ ମୋର ବିଶ୍ୱାସ ହେଲା ଯେ, ମୁଁ ଭଲ ଗୀତ ଗାଇପାରିବି । ଆତ୍ମବିଶ୍ୱାସ ବିନା ସଫଳତା ମିଳେନାହିଁ । ସେଦିନର ଆତ୍ମବିଶ୍ୱାସ ଯୋଗୁଁ ଏବେ ଏହି ସଙ୍ଗୀତ ଦୁନିଆରେ ତିଷ୍ଠିପାରିଛି । ପିତା ରମାକାନ୍ତ ଓ ମା’ ସୁକାନ୍ତିଙ୍କ ନାମକୁ ନେଇ ତାଙ୍କ ନାମ ଆର୍‌.ଏସ୍ କୁମାର ହୋଇଛି ବୋଲି ସେ କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ