ବଳଦଟଣା କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ବେସରକାରୀ ସଂସ୍ଥା ହର୍ଷ ଟ୍ରଷ୍ଟ-ଆଇଟିସି-ମିଶନ ସୁନେହରା କଲର ମିଳିତ ଉଦ୍ୟମରେ ବୁଧବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ପଲ୍ଲୀପଦ୍ମନାଭପୁର ଗ୍ରାମ ଠାରେ ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା ଅନୁଷ୍ଠିତ ହୋଇଛି Iଏହି କୃଷକ ମେଳାରେ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଉପସ୍ଥିତ ରହି ଚାଷୀମାନଙ୍କୁ ପ୍ରକଳ୍ପ ତରଫରୁ ବିକଶିତ ଉନ୍ନତ କୃଷି ଯନ୍ତ୍ରପାତି ଯଥା ଓୟୁଏଟି ମୋଡ ପତ୍ର ଲଙ୍ଗଳ, ଉନ୍ନତ ଜୁଆଳି, ମଞ୍ଜିବୁଣା ଯନ୍ତ୍ର, କାଦୁଅ କରିବା ଯନ୍ତ୍ର ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରକଳ୍ପ ତରଫରୁ ଅନେକ ତାଲିମ ଶିବିର, କ୍ଷେତ୍ର ପ୍ରଦର୍ଶନୀ, କୃଷକ ମେଳା ଇତ୍ୟାଦିର ଆୟୋଜନ କରାଯାଇ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ ଏହିସବୁ ଉନ୍ନତ ଯନ୍ତ୍ରପାତିର ବ୍ୟବହାରିକ ଜ୍ଞାନ କୌଶଳ ସମ୍ବନ୍ଧରେ ଜ୍ଞାନପ୍ରଦାନ କରାଯାଉଛି ବୋଲି ପ୍ରଫେସର ସ୍ୱାଇଁ ସୂଚନା ଦେଇଥିଲେ I କୃଷି ବିଜ୍ଞାନ କେନ୍ଦ୍ର, ଗଂଜାମ-୨ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ସୁସ୍ମିତା ମହାନ୍ତି, କୀଟତତ୍ତ୍ୱ ବୈଜ୍ଞାନିକ ସନ୍ଦୀପ ମହାନ୍ତି ଓ ବେସରକାରୀ ସଂସ୍ଥା ହର୍ଷ ଟ୍ରଷ୍ଟ-ଆଇ ଟିସି-ମିଶନ ସୁନେହରା କଲର ସଂଯୋଜକ ଶଶିକାନ୍ତ ବେହେରା, ସୂର୍ଯ୍ୟ ନାୟକ ଓ ଗଙ୍ଗାଧର ନାୟକ ପ୍ରମୁଖ ଯୋଗ ଦେଇ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରିବା ଦ୍ୱାରା କମ ସମୟ,ସୁବିଧା,କମ ଖର୍ଚ୍ଚ ଓ କମ ପରିଶ୍ରମରେ ବିଭିନ୍ନ କିସମର ଚାଷ କାମ କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଚତୁର୍ଥ ବାର୍ଷିକ ଛାତ୍ରଛାତ୍ରୀ ସର୍ଫରାଜ,ବର୍ଷା ଓ ଐଶ୍ୱର୍ଯ୍ୟା ପ୍ରମୁଖ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କ ସହ କୃଷି ଯାନ୍ତ୍ରିକରଣର ଉପଯୋଗୀତା ବିଷୟରେ ଆଲୋଚନା କରିଥିଲେ I ପ୍ରକଳ୍ପ ତରଫରୁ ଅନେକ ଗୁଡିଏ ଉନ୍ନତ କୃଷି ଯନ୍ତ୍ରପାତି,ପଟଚିତ୍ର ଆଦି ମଧ୍ୟ ପ୍ରଦର୍ଶିତ ହୋଇଥିଲା I କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ରକ୍ଷାକରି ଆୟୋଜିତ ହୋଇଥିବା ଏହି କୃଷି ମେଳାକୁ ବହୁ ସଂଖ୍ୟକ ଚାଷୀଭାଇଯୋଗ ଦେଇ ବେଶ ପ୍ରଶଂସା କରିଥିଲେ I ଆଗାମୀ ଦିନରେ ପ୍ରକଳ୍ପ ତରଫରୁ ବିକଶିତ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କଲେ ଚାଷୀମାନଙ୍କର ଆର୍ଥିକ ଓ ସାମାଜିକ ଅବସ୍ଥାରେ ଯଥେଷ୍ଟ ଅଗ୍ରଗତି ହୋଇପାରିବ ବୋଲି ସIଧାରଣରେ ମତ ପ୍ରକାଶ ପାଇଥିଲା I


