ପ୍ରିଜାଇଡିଂ ଓ ପ୍ରଥମ ପୁଲିଂ ଅଫିସରଙ୍କୁ ନିର୍ବାଚନ ପରିଚାଳନା ତାଲିମ

ବାଲେଶ୍ୱର : ଜିଲ୍ଲାର ସମସ୍ତ ବ୍ଲକରେ ଆସନ୍ତା ସାଧାରଣ ନିର୍ବାଚନରେ ମୁତୟନ ହେବାକୁ ଥିବା ପ୍ରିଜାଇଡିଂ ଏବଂ ପ୍ରଥମ ପୁଲିଂ ଅଫିସରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତି ବ୍ଲକର ୨ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ପ୍ରତି ବ୍ୟାଚରେ ୫୦ ଜଣ ଲେଖାଏଁ ଅଫିସରଙ୍କୁ ତାଲିମ ପ୍ରଦାନ କରାଯିବ । ମୋଟ ୪୫୩୬ଜଣଙ୍କୁ ଏଥିରେ ସାମିଲ କରାଯାଇଛି । ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନେ ଏହି ତାଲିମ ପ୍ରଦାନ ନିମନ୍ତେ ନିୟୋଜିତ ହୋଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ନିର୍ବାଚନ ଖସଡା, ନିର୍ବାଚନ ପରିଚାଳନା, ଭୋଟ ଗ୍ରହଣ ସମୟରେ ସତର୍କତା, ଇଭିଏମ-ଭିଭିପାଟ ମେସିନର ସଠିକ ବ୍ୟବହାର, ବିଭିନ୍ନ ପ୍ରକାର ଫର୍ମର ଉପଯୋଗିତା ଇତ୍ୟାଦି ସମ୍ପର୍କରେ ଅଧିକାରୀମାନଙ୍କୁ ତାଲିମ ଦିଆଯିବା ଲକ୍ଷ୍ୟ ରହିଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତ ତାଲିମ କାର୍ଯ୍ୟକ୍ରମ ପ୍ରିଜାଇଡିଂ ଓ ପ୍ରଥମ ପୁଲିଂ ଅଫିସରମାନଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଜାନୁୟାରୀ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ଅନୁଷ୍ଠିତ ହୋଇଥିବା ବେଳେ ଆଗକୁ ତୃତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ତଦାରଖ ପାଇଁ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ମନ୍ମଥ କୁମାର ପାଣି ଏବଂ ଆଶୁତୋଷ ସାମଲ ଆସିବା ସହିତ ସମସ୍ତ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି । ତାଲିମ କାର୍ଯ୍ୟକ୍ରମ ମୁଖ୍ୟତଃ ସାଧାରଣ ନିର୍ବାଚନ ସଂକ୍ରାନ୍ତରେ ରହିଥିବା ବିଭିନ୍ନ ସନ୍ଦେହକୁ ଦୂର କରିପାରିବ ବୋଲି ସହକାରୀ ଜିଲ୍ଲାପାଳ (ନିର୍ବାଚନ) ମନୋଜ ସେନାପତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ