ବିନା ଶ୍ରଦ୍ଧାଳୁରେ ହେବ କି ଶାଳିଜଙ୍ଗା ମହିମା ମେଳା
ନାଉଗାଁ, (ଓ୍ବାଇଏନ୍ଏସ୍):ଚଳିତ ବର୍ଷ କୋଭିଡ କଟକଣା ଯୋଗୁ କୌଣସି ଯାନି ଯାତ୍ରାରେ ଜନସମାଗମ ନହେବା ପାଇଁ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । ନାଉଗାଁ ବ୍ଳକରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଶାଳିଜଙ୍ଗା ମେଳାରେ ଜନସମାଗମ ନହେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜନସମାଗମକୁ ରୋକିବା ପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ପଡିଥିବା ଦୋକାନ,ବଜାରକୁ ବୁଧବାର ୪ଟା ମଧ୍ୟରେ ଉଠାଇବା ପାଇଁ ନାଉଗାଁ ଥାନା ପକ୍ଷରୁ ଥାନା ଆଇଆଇସି ଭରତ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ନାଉଗାଁ ତହସିଲଦାର ଜେ.କଳ୍ପନା ଉକ୍ତ ପୀଠରେ ଜନସମାଗମ ସଂର୍ପକରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ନାଉଗାଁ ଥାନାକୁ ପତ୍ର ମାଧ୍ୟରେ ଅବଗତ କରାଇଥିବା ଜଣାଯାଇଛି । କିନ୍ତୁ ରିପୋର୍ଟ ପ୍ରସ୍ତୁତ ହେଲା ବେଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଦୀର୍ଘବର୍ଷ ହେବ ମାଘ ଚତୁର୍ଦ୍ଦଶୀ ଦିନ ଶିଖର ପଂଚାୟତ ଶାଳିଜଙ୍ଗା ଠାରେ ଥିବା ମହିମା ଆଶ୍ରମରେ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହୋଇଥାଏ । ଏହି ମେଳାକୁ ୨ୟ ଯୋରନ୍ଦା ବୋଲି ମଧ୍ୟ ଅବିହିତ କରାଯାଏ । ମେଳା ପୂର୍ବରୁ ଆଶ୍ରମ ପରିସରରେ ବିଭିନ୍ନ ଅଂଚଳରୁ ଦୋକାନୀମାନେ ଆସି ଦୋକାନ ବସାଇଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଏହି ମେଳାରେ ସମାଗମ ହୋଇଥାନ୍ତି । ଏପରିକି ଶ୍ରଦ୍ଧାଳୁମାନେ ଅଖଣ୍ଡ ଧୁନି ଲଗାଇବା ସହିତ ପ୍ରସାଦ ସେବନ କରିଥାନ୍ତି । ଚଳିତ ବର୍ଷ ବିଭିନ୍ନ ସ୍ଥାନରୁ ଦୋକାନୀମାନେ ଆସି ଦୋକାନ ବସାଇ ଥିବା ବେଳେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୋକାନ ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ନିୟମାମୁତାବକ ଆଶ୍ରମ ପରିସରରେ ଧୂନି ଓ ଦୀପ ଲଗାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।