ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବସଷ୍ଟାଣ୍ଡର ବିଶ୍ରାମଗାରରେ ବୁଧବାର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ରାସାୟନିକ ସାରର ଦର ବୃଦ୍ଧି ଓ ଷଣ୍ଢ ଉପଦ୍ରବରୁ ଚାଷକୁ ରକ୍ଷା କରିବା ପାଇଁ ସଦସ୍ୟ ମାନେ ଦାବି କରିଥିଲେ। ଜିଲା ସଂଯୋଜକ ଅଶୋକ ସ୍ୱାଇଁଙ୍କ କହିବା ମୁତାବକ ଖାଉଟିି କାର୍ଡରେ ଯେପରି ପ୍ରତ୍ୟେଜ ହିତାଧିକାରୀଙ୍କୁ ମୁଣ୍ଡ ପିଛା ଖାଉଟି ସାମଗ୍ରୀ ସ୍ଥିର କରାଯାଇଛି। ସେହିପରି ଚାଷୀମାନଙ୍କୁ ଜମି ହିସାବରେ ସାର ପ୍ରଦାନ ପାଇଁ ସ୍ଥିରିକୃତ କରାଯାଇଛି। କିନ୍ତୁ ଏହାକୁ ସାର୍ବଜନୀନ କରାଯାଉନାହିଁ। ଯାହାଫଳରେ ଚାଷୀମାନେ କଳା ବଜାରରେ ଚଢା ଦରରେ ସାର କ୍ରୟ କରୁଛନ୍ତି। ସେହିପରି ବର୍ତମାନ ବୁଲା ଷଣ୍ଢଙ୍କର ଉପଦ୍ରବ ବୃଦ୍ଧି ପାଉଛି। ଯାହାଙ୍କ ଦାଉରୁ ଚାଷ ବଂଚାଇବା କଷ୍ଟ ସାଧ୍ୟ ହୋଇ ପଡିଛି। ସରକାରଙ୍କ ତରଫରୁ ଗୋପାଳନ ପାଇଁ ପ୍ରୋତ୍ସାହନ ଯୋଗଇ ଦିଆଯାଉଛି। ଗାଈ ମାନଙ୍କୁ ଉନ୍ନତ ଧରଣର ଇଂଜେକସନ ଦେବା ସହ ମାଈ ବାଛୁରୀ ପ୍ରଜନନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। କିନ୍ତୁ ଚାଷୀ ଅର୍ଥ ଖର୍ଚ୍ଚ କରି ଇଂଜେକସନ ଦେଉଥିବା ବେଳେ ମାଈ ବାଛୁରୀ ପରିବର୍ତେ ଅଣ୍ଡିରା ବାଛୁରୀ ଜନ୍ମ ହେଉଛନ୍ତି। କିଛି ଦିନ ପରେ ଚାଷି ଏହି ବାଛୁରୀକୁ ବାହାରେ ଛାଡିବା ପାଇଁ ବାଧ୍ୟ ହେଉଛି। ଉକ୍ତ ଅଣ୍ଡିରା ବାଛୁରୀର ଥଇଥାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ସେହିପରି ଚାଷୀ କ୍ରୟ କରୁଥିବା ଚୋକଡ ପ୍ୟାକେଟ ଉପରେ କୌଣସି ନିର୍ଦ୍ଦାରିତ ମୂଲ୍ୟ ଲେଖା ଯାଉ ନାହିଁ। ଯାହା ଫଳରେ ମନ ଇଚ୍ଛା ଚୋକଡ ଦାମ ବୃଦ୍ଧି ପାଉଥିବା ବେଳେ ଅପମିଶ୍ରଣ ମଧ୍ୟ ବୃଦ୍ଧି ପାଉଛି। ଗାଁ ଗାଁରେ ମାଙ୍କଡଙ୍କ ବଂଶ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ବନ୍ଧ୍ୟାକରଣର ବ୍ୟବସ୍ଥା କରିବା ପାଇଁ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ। ପରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ଜିଲାପାଳଙ୍କ ନିକଟକୁ ପଠାଯାଇଥିଲା। ଯଦି ଏହାର ସ୍ଥାୟୀ ପ୍ରତିକାର କରା ନ ଯାଏ ତେବେ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ପ୍ରଦାନ କରାଯାଇଛି। ଏହି ସମ୍ମିଳନୀରେ ନବ କିଶୋର ମହାନ୍ତି, ଧୃବ ଚରଣ ପରିଡା, ଚତୁଭୂଜ ମହାନ୍ତି, ଅକ୍ଷୟ ଲେଙ୍କା ଆଦି ଉପସ୍ଥିତ ଥିଲେ।


