କୃଷି ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତରେ ଚାଷୀଙ୍କୁ ବିକ୍ରି ହେଲା ୧୮୨ ବସ୍ତା ସାର

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋଇ ଛକ ଓ ଗାରୋଇ(ଡାହାଣିଖିଆ) ଗ୍ରାମରୁ ଅଗଷ୍ଟ ୧୨ରେ ୧୯୦ବସ୍ତା ଚୋରା ସାର ଜବତ କରାଯାଇଥିଲା। ଉକ୍ତ ଚୋରା ସାରକୁ ନିକଟସ୍ଥ ଡେରିକି ପ୍ରାଥମିକ ସେବା ସମବାୟ ସମିତିକୁ ଜିମା ଦିଆଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ତହସିଲଦାର ଅକ୍ଷୟ କୁମାର ବଡୁ, ମଣ୍ଡଳ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର, ଜଗତସିଂହପୁର ସହକାରୀ କୃଷି ନିର୍ଦ୍ଦେଶକ ସ୍ୱାଗତିକା ମିଶ୍ର, ଜଗତସିଂହପୁର ସହକାରୀ କୃଷି ଅଧିକାରୀ ସ୍ୱରାଜ ବେହେରା, ନାଉଗାଁ ସହକାରୀ କୃଷି ଅଧିକାରୀ ଅଙ୍କିତ ଦଳେଇ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜବତ ସାରକୁ ୧୨୨ଜଣ ଚାଷୀଙ୍କୁ ୧୮୨ ବସ୍ତା ସାର ୧ଲକ୍ଷ ୧୬ ହଜାର ୩୭୯ ଟଙ୍କାରେ ଶୁକ୍ରାବର ବିକ୍ରି କରାଯାଇଥିଲା। ବିକ୍ରି କରାଯାଇଥିବା ସାର ମଧ୍ୟରେ ରହିଛି ୟୁରିଆ ୧୨୫ ବ୍ୟାଗ,ଡିଏପି ୩୬ ବ୍ୟାଗ,ଗ୍ରୋମର୧୧ ବ୍ୟାଗ, ୨୦.୨୦.୦.୧୩ – ୧୦ ବ୍ୟାଗ ବିକ୍ରି କରାଯାଇଥିବା ବେଳେ ଅବଶିଷ୍ଟ ୮ବସ୍ତା ପଟାସ ସାର ମାନଦଣ୍ଡ ବିହୀନ ସାର ଥିବାରୁ ତାହାକୁ ପୋତା ଯାଇଥିଲା। ବିକ୍ରି କରାଯାଇଥିବା ସାରର ଅର୍ଥ ଡେରିକି ସମବାୟ ସମିତିର ସଂପାଦକ ବାପୁଜି କୁମାର ଜେନାଙ୍କ ନିକଟରେ ଗଚ୍ଛିତ ରଖାଯାଇଛି। ଜିଲାପାଳଙ୍କ ଆଦେଶ ଅନୁସାରେ ଉକ୍ତ ଟଙ୍କା ବ୍ୟାଙ୍କରେ ଜମା କରାଯିବ ବୋଲି ବ୍ଳକ କୃଷି ଅଧିକାରିଣୀ ପାତ୍ର ମତବ୍ୟକ୍ତ କରିଛନ୍ତି। ସେହିପରି ୮ବସ୍ତା ପଟାସ ସାର ମାନଦଣ୍ଡ ବିହୀନ ସାର ପାଇଁ ଏତଲା ଉପରେ ପୋଲିସ ପକ୍ଷରୁ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଳକ କୃଷି ଅଧିକାରିଣୀ ପାତ୍ର କହିଥିଲେ। ସୂଚନାଯୋଗ୍ୟ ଯେ ଚୋରା ସାର ଗଚ୍ଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ମିଳିତ ଚଢାଉ କରାଯାଇଥିଲା। ଏହି ଚଢାଉରେ ଭାରାପ୍ରାପ୍ତ ମୁଖ୍ୟ ଜିଲା କୃଷି ଅଧିକାରୀ ବିଭୁଦତ ସାହୁ, ବ୍ଳକ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର, ମୃତିକା ରସାୟନ ଅଧିକାରୀ ସ୍ୱାଗତିକା ମିଶ୍ର, ସହକାରୀ କୃଷି ଅଧିକାରୀ ସ୍ୱରାଜ ବେହେରା, ସହକାରୀ କୃଷି ଅଧିକାରୀ ଅଗ୍ନି ପଣ୍ଡା, ସହକାରୀ କୃଷି ଅଧିକାରୀ ଅଙ୍କିତ ଦଳେଇ, ତହସିଲଦାର ଅକ୍ଷୟ ବଡୁ, ଅତିରିକ୍ତ ତହସିଲଦାର ଶରତ ପରିଡା,ନାଉାଗାଁ ଥାନାଧିକାରୀ ଦେବାଶୀଷ ପଣ୍ଡା ଉପସ୍ଥିତ ଥିଲେ। ପ୍ରଥମେ ଗାରୋଇ ଛକରେ ତାରକ ସାହୁଙ୍କ ଦୋକାନ ଓ ପରେ ଗାରୋଇ(ଡାହାଣିଖିଆ)ଗ୍ରାମରେ ସାର ଗଚ୍ଛିତ ଥିବା ଏକ ବ୍ୟକ୍ତିଗତ ଗୃହର ତାଲା ଖୋଲାଯିବା ପରେ ଉପରେ ଚୋରା ସାର ଜବତ କରାଯାଇଥିଲା। ଉଭୟ ସ୍ଥାନରୁ ମିଶି ୧୨୫ବ୍ୟାଗ ୟୁରିଆ,୩୬ ବ୍ୟାଗ ଡିଏପି, ୧୧ ବ୍ୟାଗ ଗ୍ରୋମର,୧୦ ବ୍ୟାଗ ୨୦.୨୦ .୦.୧୩ ସାର ଓ ୮ବସ୍ତା ପଟାସ ସାର ଜବତ କରାଯାଇଥିଲା। ପରେ ଏହି ଘଟଣାକୁ ନେଇ ସହକାରୀ କୃଷି ଅଧିକାରୀ ଅଗ୍ନି ପଣ୍ଡା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ