ନିଖିଳ ଓଡିଶା ଅଙ୍ଗନବାଡି ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ : ୧୮ ଦଫା ଦାବି ପତ୍ର ପ୍ରଦାନ
ଛତ୍ରପୁର (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ନିଖିଳ ଓଡିଶା ଅଙ୍ଗନବାଡି ସଂଘ ପକ୍ଷରୁ ସେମାନଙ୍କ ୧୮ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କରୋନା କାର୍ଯ୍ୟରେ ନିୟୋଜିତ ହୋଇ ମୃତ୍ୟୁବରଣ କରିଥିବା ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ସହ ସହାୟତା ରାଶି ପ୍ରଦାନ କରି ତାଙ୍କର ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ,ଏସଏନପି ଦର ସଂଶୋଧନ କରିବା,ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସୁପରଭାଇଜର ପଦବୀ ପୂରଣ କରିବା,ଅଙ୍ଗନବାଡି କର୍ମୀ ମାନଙ୍କୁ ୫ ବର୍ଷ ଓ ୧୦ ବର୍ଷର ଇନକ୍ରିଟମେଣ୍ଟ ବକେୟା ସହ ତୁରନ୍ତ ପ୍ରଦାନ କରାଯାଉ, ମିନି ଅଙ୍ଗନବାଡି କେନ୍ଦ୍ର କୁ ଅଙ୍ଗନବାଡି କେନ୍ଦ୍ର ରେ ପରିଣତ କରିବା,ସହାୟିକା ଙ୍କ ପଦୋନ୍ନତି କରିବା, ୩୫ ଓ ୩୬ ତମ ଶ୍ରମ ସମ୍ମିଳନୀର ସୁପାରିସ୍ ଅନୁଯାୟୀ ଅଙ୍ଗନବାଡି କର୍ମୀ ସହାୟିକାଙ୍କୁ ସମାଜସେବୀ ଆଖ୍ୟା ଉଚ୍ଛେଦ କରି କର୍ମଚାରୀ ର ମାନ୍ୟତା ପ୍ରଦାନ କରିବା, ଆବଶ୍ୟକୀୟ ଅନୁଯାୟୀ ଭିତ୍ତିଭୁମୀ ର ସୁବିଧା କରିବା, ଚାକିରି ଅବଧି ମଧ୍ୟରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମୃତ୍ୟୁବରଣ କଲେ ତାଙ୍କର ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବା, ବୀମା ଯୋଜନାର ସଫଳ ରୁପାୟନ କରିବା, ପାକ୍ ବିଦ୍ୟାଳୟ ଶିଶୁଙ୍କୁ ଦୁଇ ହଳ ପୋଷାକ ଓ ସ୍ୱେଟର ବଣ୍ଟନ ସମ୍ବନ୍ଧୀୟ ବିଭାଗୀୟ ନିର୍ଦ୍ଦେଶନାମାକୁ ବେଖାତିର କରି ଟ୍ରେଲର ୟୁନିଟ୍ ଏବଂ ସ୍ୱେଟର ବୁଣିବା ୟୁନିଟ୍ ନଥିବା ସଂସ୍ଥା ମାନଙ୍କୁ ଏସଏଚଜି ନାମରେ ନିମ୍ନ ମାନର ପୋଷାକ ଓ ସ୍ୱେଟର ବଣ୍ଟନ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ କରାଯାଉ , ମହିଳା ଶିଶୁ ବିକାଶ ବିଭାଗ ତରଫରୁ କେନ୍ଦ୍ରରେ ଗ୍ୟାସ ସଂଯୋଗ ନିମନ୍ତେ ପ୍ରତି କେନ୍ଦ୍ର ପାଇଁ ୧୦ହଜାର ନିର୍ଦ୍ଦେଶନାମା ପ୍ରଦାନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ୫ହଜାର ଅନୁଦାନ ପଠାଯାଇଛି । ବିଭାଗୀୟ ସ୍ପଷ୍ଟ ନିର୍ଦ୍ଦେଶନାମା ନଥିବାରୁ ଜିଲ୍ଲା ସ୍ତରରେ ୫ଲିଟରିଆ ଦୁଇଟି ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଇଛି । ପ୍ରଦତ୍ତ ଅର୍ଥରେ ଏକ ୧୪.୫ ଲିଟର ଗ୍ୟାସ୍ ସିଲିଣ୍ଡର ସହ କେନ୍ଦ୍ର ନାମରେ ସଂଯୋଗ କରିବା ସମେତ ୧୮ ଦଫା ଦାବୀ ନେଇ ଆଜି ଏଆଇଟିୟୁସି ର ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ସାମିଲ୍ ହୋଇ ସେମାନଙ୍କ ହକ୍ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ରାଜ୍ୟ ସଭାପତି ବିଜୟ ଜେନା, ସମ୍ପାଦିକା ହରପ୍ରିୟା ସ୍ୱାଇଁ, କୋଷାଧ୍ୟକ୍ଷ ସୈଦାମିନୀ ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, , ଗଞ୍ଜାମ ଜିଲ୍ଲା ନିଖିଳ ଓଡିଶା ଅଙ୍ଗନବାଡି ସଂଘର ସଭାପତି ମମତାଜ ଖୁଣ୍ଟିଆ, ସଂପାଦିକା ନର୍ମଦା ନାହାକ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଏଆଇଟିୟୁସି ନେତା ପ୍ରବୀଣ ଦାସ, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ, ସୁଦର୍ଶନ ସ୍ୱାଇଁ, ରାଜେନ୍ଦ୍ର ଦାଶ, କାମଦେବ ନାହାକ, ଅଙ୍ଗନବାଡି ସଂଘର ନେତ୍ରୀ ବାସନ୍ତି ସାହୁ , ବାସନ୍ତି ତ୍ରିପାଠୀ , ପ୍ରତିମା ଦାଶ, ଗାୟତ୍ରୀ ପଣ୍ଡା, ମିତା ମିଶ୍ର, ସୁଲୋଚନା ରଥ, ରୀତା ଦାସ, ଜ୍ୟୋସ୍ନା ରାଣୀ ବରାଡ, ଓ ତ୍ରିବେଣୀ ନାୟକ ଙ୍କ ସମେତ ବହୁ ଅଙ୍ଗନବାଡିକର୍ମୀ ଓ ସହାୟିକା ମାନେ ନିଜ ନିଜ ବକ୍ତବ୍ୟରେ ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା କରିବା ସହ ବିଭିନ୍ନ ଦାବୀ ସମ୍ପର୍କରେ କହିଥିଲେ । ଏହି ଦାବୀ ଗୁଡିକ ଯଥାଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଥିଲେ । ଏନେଇ ୧୮ ଦଫା ସମ୍ବଳିତ ଏକ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ସ୍ଥାନୀୟ ଷ୍ଟାଡିୟମ ଠାରୁ ହାତରେ ଏଆଇଟିୟୁସି ର ପତାକା ଧରି ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


