ଦିଲ୍ଲୀ ବାସଭବନରେ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ହିମାଚଳ ପ୍ରଦେଶର ଜଣେ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ମୃତଦେହ ଆଜି ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡିରୁ ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶର୍ମା, ୨୦୧୯ ଲୋକସଭା ନିର୍ବାଚନରେ ପୂର୍ବତନ ଟେଲିଯୋଗାଯୋଗ ମନ୍ତ୍ରୀ ସୁଖ ରାମଙ୍କ ନାତି ତଥା କଂଗ୍ରେସ ପ୍ରାର୍ଥୀ ୩୨ ବର୍ଷିୟ ଆଶ୍ରୟ ଶର୍ମାଙ୍କୁ ପରାସ୍ତ କରିଥିଲେ। ସେ ଜଣେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ର ସଦସ୍ୟ ମଧ୍ୟ ଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଏହା ଆତ୍ମହତ୍ୟା ବୋଲି ଜଣାପଡୁଥିବା ବେଳେ ଅଧିକ ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିବ ।


