ବ୍ରହ୍ମପୁର ବିମାନ ବନ୍ଦର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ମିଳିତ କ୍ରିୟାନୁଷ୍ଠାନ କମିଟି
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଆବାହକ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗଜପତିନଗର ଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଯୋଗହୋଇ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବାକୁ ମତବ୍ୟକ୍ତ କରିଛନ୍ତି l ଉଡାନ ଯୋଜନାରେ ବ୍ରହ୍ମପୁର ସହରରେ ବିମାନ ବନ୍ଦର ସ୍ଥାପନ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗକୁ ରାଜ୍ୟ ସରକାର ପୂର୍ବରୁ କୌଣସି ପ୍ରସ୍ତାବ ଦେଇନଥିବା ଜଣାପଡିବା ପରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ଜନ ଆନ୍ଦୋଳନ ମଧ୍ୟରେ ପୋଷ୍ଟକାର୍ଡ ଅଭିଯାନ, ମାନବ ଶୃଙ୍ଖଳ, ପଥପ୍ରାନ୍ତ ସଭା ଆଦି ମଧ୍ୟରେ ଗତ ଫେବୃଆରୀ 20ତାରିଖ ଓ ମାର୍ଚ୍ଚ 10ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ପଠାଯାଇଛି l ଆସନ୍ତା ଉତ୍କଳ ଦିବସ ଏପ୍ରିଲ ପହିଲା ସୁଦ୍ଧା ବ୍ରହ୍ମପୁର ବିମାନ ବନ୍ଦର ଘୋଷଣା କରାଯିବାକୁ ଦାବି ହୋଇଛି l କିନ୍ତୁ ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ବ୍ରହ୍ମପୁରବାସୀ ଙ୍କୁ କୌଣସି ବିଶ୍ୱାସଯୋଗ୍ୟ ଘୋଷଣା ବା ଲିଖିତ ପ୍ରତିଶୃତି ପ୍ରକାଶ କରିନଥିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି l ତୁରନ୍ତ ଗଞ୍ଜାମଜିଲ୍ଲାବାସୀଙ୍କ ଦାବିକୁ ଗୁରୁତ୍ୱଦେବାପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି l ଆଜିର ବୈଠକରେ ସହଆବାହକ ଅବନୀ ଗୟା, ସମାଜସେବୀ ଗଗନଚନ୍ଦ୍ର ମଲ୍ଲିକ, ଡ଼ଃ. ଶିବ ପ୍ରସାଦ ମିଶ୍ର, ପ୍ରଣବ କୁମାର ପଣ୍ଡା, ପ୍ରଦୀପ କୁମାର ସାହୁ,ଡ଼ଃ. ଡମ୍ବୁରୁଧର ସାହୁ, ବିଶ୍ଵଦେବ,ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ସlଲ୍ଲା. କେଶବ ଲିଙ୍ଗମ, ପୁର୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l


