ଏମିତି ଚାଲିଛି ଆର.ଡି ବିଭାଗର କାମ : କୋଟିଏରୁ ଉର୍ଦ୍ଧ ଟଙ୍କାର ରାସ୍ତା ଦିନ କେଇଟାରେ ଫାଟି ଆଁ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଅଞ୍ଚଳରେ ଆର.ଡି ବିଭାଗ ପକ୍ଷରୁ କରାଯାଉଥିବା କାମ ଗୁଡିକ ଅତି ନିମ୍ନମାନର ହେଉଥିବାରୁ ତାହା ଦିନ କେଇଟା ମଧ୍ୟରେ ନଷ୍ଟ ହୋଇଯାଉଛି । ବିଶେଷକରି ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ କାର୍ଯ୍ୟ ହେଉ ଥିବାରୁ ଏପରି ହେଉଥିବା ଦେଖିବାକୁ ମିଳିଛି । କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା କାମ ହେଉଥିବାବେଳେ ଦିନ କେଇଟା ଭିତରେ ତାହା ନଷ୍ଟ ହୋଇଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଭାତକରୁଆ ଗୋପାଳପୁର ରାସ୍ତା ଓ ବଡରମ୍ପାସ- ଇଞ୍ଚୋଳ ରାସ୍ତାରେ । ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଭାତକରୁଆ ଗୋପାଳପୁର ରାସ୍ତାଟି ଗତ ୨୦୧୯ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାର କାମ ମଧ୍ୟ ସମ୍ପୁର୍ଣ୍ଣ ହୋଇ ନାହିଁ । କିନ୍ତୁ ରାସ୍ତାର ଅନେକ ସ୍ଥାନରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା ଗୁଡିକ ଫାଟି ଆଁ କରିଥିବାବେଳେ ଆଉ କିଛି ସ୍ଥାନରେ ପିଚୁ ଉଠି ରାସ୍ତା ଦବି ଗଲାଣି । ବିଶେଷ କରି ଏହି ରାସ୍ତା ଉପରେ ସେପରି କିଛି ଭାରିଯାନ ଚଳାଚଳ କରୁନଥିବାବେଳେ ରାସ୍ତାଟି ଯଦି ଏପରି ହୁଏ ତେବେ ଏହାର ସ୍ଥାୟୀତ୍ୱ କେତେଦିନ ବୋଲି ପ୍ରଶ୍ନ ଉଠିଛି । ସେହିପରି ବଡରମ୍ପାସ- ଇଞ୍ଚୋଳ ପର୍ଯ୍ୟନ୍ତ ରାସ୍ତାଟି ଡିଏମଏଫ ପଣ୍ଡରୁ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ନିର୍ମାଣ କରାଯାଇଥିଲା । କାମ ନେଇଥିବା ଠିକାଦାର ଅଭିଜ୍ଞତା ବିହିନ ଲୋକମାନଙ୍କ ଦ୍ୱାରା ଏହି ରାସ୍ତାକାମ କରିବାରୁ ରାସ୍ତାରେ ସମାନତା ରହିଲାନି । ଫଳରେ ବାଇକଟିଏ ମଧ୍ୟ ଠିକ ଭାବରେ ଏହି ରାସ୍ତାରେ ଯାଇପାରୁ ନାହିଁ । ବର୍ଷେ ଭିତରେ ରାସ୍ତାର ବିଭିନ୍ନ ସ୍ଥାନ ଫାଟି ଆଁ କରିଛି । କେତେକ ସ୍ଥାନରେ କଂକ୍ରିଟ ଉଠିଯାଇ ଖାଲ ମଧ୍ୟ ହେଲାଣି । ରାସ୍ତାଘାଟ ଗୁଡିକ ଅତି ନିମ୍ନମାନର ହେଉଥିବା ଯୋଗୁଁ ଏପରି ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ