ଶିଶୁର ଚିକିତ୍ସାରେ ବାଧକ ସାଜିଛି ଅର୍ଥ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କଟକିଆ ସାହି ବାସିନ୍ଦା ଦୁର୍ଗା ପ୍ରସାଦ ଗୌଡଙ୍କ ପୁତ୍ର କେଦାରନାଥ ବରାଡ ଯାହାଙ୍କ ବୟସ ମାତ୍ର ୪ବର୍ଷ । ଏନେଇ ଦୁର୍ଗା ପ୍ରସାଦ ଜଣାଇଛନ୍ତି ଯେ, ଜନ୍ମ ହେବାର ୪ରୁ୫ ଦିନ ମଧ୍ୟରେ ଫୋଟକା ଗୁଡିକ ବାହାରିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସମୟ ସମୟରେ ଏପରି ଫୋଟକା ବାହାରୁଛି । ଏହି ଫୋଟକା ଦ୍ୱାରା ସେ ଚାଲିବା ବୁଲିବା ଆଦିକୁ ନେଇ ସମସ୍ୟା ଉପୁଜୁଛି । ଛୁଆକୁ ଦେଶର ବିଭିନ୍ନ ସ୍ଥାନ ଯଥା ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରକାକୁଲମ, ବିଶାଖାପାଟଣା ଆଦି ବଡ ବଡ ସହରରେ ଥିବା ବଡ ବଡ ଡାକ୍ତରଖାନାରେ ଦେଖାଇଦେଲୁଣି । ଉପଶମ ହେଉନି ଏହି ରୋଗ । କେତେକ ଡାକ୍ତର କହିଛନ୍ତି ଯେ, ଏପରି ରୋଗ ବଂଶାନୁଗତ ରୋଗର ଲକ୍ଷ୍ୟଣ ତ ଆଉ କେତେକ କହିଛନ୍ତି ଏହି ଶିଶୁ ବଞ୍ଚବା ଆଶାକ୍ଷୀଣ ତ ଆଉକେତେକ ଡାକ୍ତର କହିଛନ୍ତି ଏପରି ରୋଗର ଔଷଧ ଆମ୍ଭ ଭାରତ ଦେଶରେ ନାହିଁ ବୋଲି ଫେରାଇ ଦେଉଛନ୍ତି । କିନ୍ତୁ ଆମ୍ଭ ଘରର କୌଣସି ଲୋକଙ୍କ ଠାରେ ଏପରି ବଂଶଗତ ରୋଗନାହିଁ । ଏପରିକି ଉପଚାର ପାଇଁ ବିଭିନ୍ନ ଗ୍ରାମରେ ଥିବା ବୈଦ୍ୟ, ଚେରମୁଳି ଠାରୁ ଆରମ୍ଭ କରି ହୋମିୟପଥି, ଏଲୋପଥି ସବୁ ପ୍ରକାର ଉପଚାର କରାଯାଉଛି । ଦୀର୍ଘ ୪ବର୍ଷ ହେଲା ନିଜ ପୁଅର ଚିକିତ୍ସା କରାଇ ବର୍ତ୍ତମାନ ଅର୍ଥର ଘୋର ଅଭାବ ହେତୁ ନିଜ ପୁଅର ଚିକିତ୍ସା କରିବା ସମ୍ଭ ହେଉନାହିଁ । ଗୋଟିଏ ଦୋକାନରେ କାମକରି ପରିବାର ଗୁଜାରଣ ମେଣ୍ଟାଉଥିବା ଦୁର୍ଗା ଅତ୍ୟନ୍ତ ଭାବବିହୋଳ ହୋଇ ଜଣାଇଛନ୍ତି । ଏହା ସହ ସେ ଆହୁରି ଜଣାଇଛନ୍ତି ଯେ, ପୂର୍ବରୁ ଗୋଟିଏ ପୁତ୍ର ସନ୍ତାନର ମଧ୍ୟ ଏପରି ଫୋଟକା ବାହାରି ମାତ୍ର ୪୧ ଦିନରେ ମୃତ୍ୟୁ ଘଟିଥିଲା । କେଦାରଙ୍କ ମା ପୁଣ୍ୟବତୀ ବରାଡ ମଧ୍ୟ କହିଛନ୍ତି ଯେ, ପୁଅର ଏଭଳି ଅବସ୍ଥା ଦେଖିପାରୁନି, ରାତ୍ର ଶୋଇପାରୁନାହିଁ କି କୌଣସି କାମ କରିପାରୁନି । ପୁଅକୁ ଦେଶର ବିଭିନ୍ନ ଡାକ୍ତରଖାନା ଯଥା ଏମ୍ସ, କିମ୍ସ ଭଳି ବଡ ବଡ ଡାକ୍ତରଖାନାକୁ ନେଲୁଣି କିନ୍ତୁ ଉପଶମ ହୋଇପାରୁନି । ଆଶା ରଖିଛୁ ଗଣମାଧ୍ୟମ ଦ୍ୱାରା ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏ ସମସ୍ତ ବିଷୟ ଶୁଣି ପୁଅର ଉଚ୍ଚସ୍ତରୀୟ ଚିକିତ୍ସା ନିମନ୍ତେ ସହାୟତା କରିବେ ବୋଲି ନିବେଦନ କରିଛନ୍ତି ଦମ୍ପତ୍ତି ।


