ଅନ୍ଧାରି ମୁଲକରେ ଗଜପତିର ସିଆଳିଲଟି ଓ ପୁରୁଣାପାଣି ପଞ୍ଚାୟତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ଯୋଜନା । ତେବେ ସ୍ଥାନୀୟ ପ୍ରଶାସନ ହେଉ ଅବା ରାଜନେତାଙ୍କ ଅବହେଳାରୁ ବିଭିର୍ଣ୍ଣ ବିକାଶ ମୂଳକ ଯୋଜନା ଏଠି ଅପହଞ୍ଚ ପାଲଟିଛି । ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ଠାରୁ ଆରମ୍ଭ କରି ପାନୀୟ ଜଳ, ବିଦ୍ୟୁତ ଭଳି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅବା ବିଜୁ ପକାଘର ଯୋଜନା ଏଠାରେ ଦିବା ସ୍ୱପ୍ନ ପାଲଟିଛି । ଗଜପତି ଜିଲ୍ଲାର ସିଆଳିଲଟି ଓ ପୁରୁଣାପାଣି ପଞ୍ଚାୟତରେ ସରକାରଙ୍କ ସର୍ବ ନିମ୍ନ ସୁବିଧା ବି ଏଠାରେ ଅପହଞ୍ଚ । ଗ୍ରାମାଞ୍ଚଳର ଭିତିଭୂମିର ବିକାଶ ନେଇ ବହୁ ସଭା ସମିତିରେ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକର ସିଆଳିଲଟି ଓ ପୁରୁଣାପାଣି ପଞ୍ଚାୟତ ବିକାଶ ଠାରୁ ଅପହଞ୍ଚ ଇଲାକା ଭାବେ ପରିଗଣତ ହେଉଛି । ନିକଟରେ ରାଜ୍ୟ ଓ କେନ୍ଦ୍ର ସ୍ତରରୁ ମଧ୍ୟ ବିଭିନ୍ନ ପ୍ରତିନିଧିମାନେ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରି ମଧ୍ୟ ଫେରିଯାଇଛନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ୭ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ସିଆଳିଲଟି ଓ ପୁରୁଣାପାଣି ଦୁଇ ପଞ୍ଚାୟତରେ ଚାଲିଅଛି ଅନ୍ଧାରି ରାଜ । ଏଠାରେ ଉଭୟ ଦୁଇ ପଞ୍ଚାୟତ ବାସୀ ଭାଗ୍ୟକୁ ଆଦରି ବଞ୍ôଚ ରହିଥିବାର ଜଣାପଡିଛି । ଅନ୍ୟପଟେ ଭାଲିଆଗୁଡା ଏନକାଉଣ୍ଟର ପରେ ସମଗ୍ର ଗଜପତି ଜିଲ୍ଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହାରି ଭିତରେ ଜିଲ୍ଲାର ଆର୍‌.ଉଦୟଗିରି ବ୍ଲକର ସିଆଳିଲଟି ଓ ପୁରୁଣାପାଣି ପଞ୍ଚାୟତର ଲାଞ୍ଜା, ରୁବାଲ, କୁମଦିପଙ୍କାଳ, ଜାଡାପାଣି, ତଇଳ, ଅଲରା, ଦଳିଖତ, କଦମ୍ବିଲି, କୁରବା, ବାଦପୁର ଭଳି ଇତ୍ୟାଦି ଗ୍ରାମ ଗୁଡିକର ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ସେଠାକାର ଅଞ୍ଚଳରେ ବାସ କରୁଥିବା ଲୋକମାନେ ଭଙ୍ଗା କୁଡିଆରେ ଜୀବନ ଅତିବାହିତ କରୁଛନ୍ତି । ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଅତ୍ୟନ୍ତ ବିପର୍ଯ୍ୟସ୍ତ । ସେଠାକାର ଅଧିକାଂଶ ଲୋକ ଭଙ୍ଗା କୁଡିଆ ମଧ୍ୟରେ ବସବାସ କରୁଛନ୍ତି । ଉକ୍ତ କୁଡିଆରେ ଅଛି ନା କିଛି ସେମାନଙ୍କ ଲାଗି ସୁବିଧା । ଗୋଟିଏ ବଖରା ଭଙ୍ଗା ଦଦରା ମାଟିର ଘର ମଧ୍ୟ ହିଁ ରହୁଛନ୍ତି ପରିବାର ଲୋକେ । ଅନ୍ୟପଟେ ଆଉ କିଛି ପରିବାରକୁ ରାସନ କାର୍ଡ ମଧ୍ୟ ମିଳି ନାହିଁ । ଏହି କାର୍ଡ ଉକ୍ତ ଅଞ୍ଚଳରେ ଯାହାକୁ ବି ମିଳିଛି ସେମାନଙ୍କର ପରିବାର ସଦସ୍ୟ ୬ ଜଣ ଥିବାବେଳେ ରାସନ କାର୍ଡରେ ନାମ ଲେଖାଅଛି ଦୁଇ ଜଣଙ୍କର । ତଇଳ ଗ୍ରାମର ଘାଟି ପାହାଡ ପର୍ବତ ରାସ୍ତା ଚଢି ଉକ୍ତ ଗ୍ରାମର ଲୋକଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ କାନ୍ଦକାନ୍ଦ ହୋଇ କହିଥିଲେ । ଏନେଇ ଆର୍‌.ଉଦୟଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ନାୟକଙ୍କ ସହ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବାରେ ସେ କହିଥିଲେ ଉକ୍ତ ସମସ୍ୟାର ସମାଧାନ କରିବୁ ଏବଂ ରାସନ କାର୍ଡରେ ତ୍ରୁଟି ଏବଂ ହିତାଧିକାରୀଙ୍କୁ ନମିଳିଥିଲେ ତୁରନ୍ତ ସେମାନେ ଆମ ସହ ଯୋଗା ଯୋଗ କରନ୍ତୁ ଆମେ ସେ ଗୁଡାକୁ ପୁରଣ କରିବୁ ବୋଲି କହିଛନ୍ତି । ଅନ୍ୟପଟେ ରାମଗିରି ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳଙ୍କ ସହ ଯୋଗାଯୋଗ କରିବାରେ ସେ ଆର୍‌.ଉଦୟଗିରି ବ୍ଲକରେ ବିକାଶର ଧାରା ଠପ ହୋଇ ରହିଛି ଏବଂ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ ସାଧାରଣ ଜନତା ସରକାରଙ୍କ ସୁଫଳ ପାଇବାରୁ ବଞ୍ôଚତ ଅଛନ୍ତି ବୋଲି କହିଥିଲେ । ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ କେବେ ଉକ୍ତ ସିଆଳିଲଟି ଓ ପୁରୁଣାପାଣି ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ବସ ବାସ କରୁଥିବା ଲୋକମାନେ ସରକାରଙ୍କ ସମସ୍ତ ସୁବିଧା କେବେ ପାଇବେ ତାହାକୁ ନେଇ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ