ସରକାର ଭୁଲିଯାଇଛନ୍ତି ଦୀର୍ଘଦିନର ସବୁଜ ପତ୍ରିକାଧାରୀଙ୍କ ଘୋଷଣାନାମା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ଚାଲିଥିଲା ବେଳେ ବିଭିନ୍ନ ସଂଗଠନ ବିଧାନସଭା ସମ୍ମୁଖ ଲୋୟରପିଏମ୍‌ଜିରେ ରାଲି ଓ ଧାରଣା କରି ନିଜର ଦାବି ଉପସ୍ଥାପନ କରିବା ପରମ୍ପରା ବିଗତ ଦୀର୍ଘବର୍ଷ ଧରି ଚାଲିଆସୁଛି । ସେହିପରି ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ ୧୯୯୨ ମସିହାରୁ ସରକାରୀ ଅଣଦେଖାର ଶିକାର ହୋଇଥିବା ପ୍ରାୟ ସାଢେ ସାତଲକ୍ଷ ସବୁଜ ପତ୍ରିକାଧାରୀ ପରିବାରଙ୍କ ଦାବୀ ନେଇ ଧାରଣାକୁ ଆସିଛି । ବାରମ୍ବାର ନିଜର ନ୍ୟାର୍ଯ୍ୟ ଦାବି ବା ଖୋଦ ସରକାରଙ୍କ ଦ୍ୱାରା ୧୯୮୩ ମସିହାରୁ ଘୋଷଣା କରାଯାଇଥିବା ଦୁଇ ସନ୍ତାନ ନୀତି ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାର ପ୍ରତିଶ୍ରୁତି ଘୋଷଣାନାମାକୁ ରାଜ୍ୟ ସରକାର ଦୀର୍ଘ ୩୮ ବର୍ଷ ହେବ ଅଣଦେଖା କରି ବା ସାଧାରଣ ଜନତାଙ୍କୁ ପ୍ରତାରିତ କରି ନିଜର ସ୍ୱାର୍ଥ ସୁବିଧା ହାତେଇବା ଲକ୍ଷ୍ୟରେ ପ୍ରତିବର୍ଷ ନୂଆ ନୂଆ ଯୋଜନା ପ୍ରଣୟନ କରି ବାହୋସ୍ପଟ ମାରିବା କେବଳ ଲୋକ ଦେଖାଣିଆ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ନିଜ ତରଫରୁ ସାଧାରଣ ଜନତାଙ୍କ ପାଇଁ ଯୋଜାନମାନ ଘୋଷଣା କରି ସଠିକ୍ ଭାବରେ କାର୍ଯ୍ୟକାରୀ କରାଇ ନପାରନ୍ତି, ତେବେ ସେଭଳି ଯୋଜନାକୁ ଓ ସରକାରଙ୍କୁ କି ଆଖ୍ୟା ଦିଆଯାଇପାରେ ବୋଲି ସଂଗଠନ ସମ୍ପାଦକ ଶ୍ରୀ ଅରୁଣ କୁମାର ସ୍ୱାଇଁ ଆୟୋଜିତ ଗଣଧାରଣାରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆଜିର ଏହି ଗଣଧାରଣାରେ ଶ୍ରୀ ସ୍ୱାଇଁ ନିଜର ବକ୍ତବ୍ୟ ରଖି କହିଛନ୍ତି ଯେ, ସରକାର ଦିନକୁ ଦିନ ଅନେକ ଯୋଜନା ଘୋଷଣା କରି ଲୋକାଭିମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ବିଭିନ୍ନ ସମୟରେ ପ୍ରଚାର କରୁଥିବା ବେଳେ ୧୯୮୩ ମସିିହାରେ ଘୋଷିତ ସବୁଜ ପତ୍ରିକାଧାରୀଙ୍କୁ ବିଭିିନ୍ନ ସୁବିଧା ସୁଯୋଗ କଣ ଏକ ଲୋକାଭିମୁଖୀ ବା ସାଧାରଣ ଜନତାଙ୍କ ପାଇଁ ଏକ ଯୋଜନା ନୁହେଁ କି? ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପଦାଧିକାରୀଙ୍କୁ ଉକ୍ତ ଯୋଜନାର ସଠିକ ରୂପାୟନ ପାଇଁ ଦୀର୍ଘବର୍ଷ ଧରି ରାଜ୍ୟର ସାଢେଲକ୍ଷ ସବୁଜ ପତ୍ରିକାଧାରୀ ପରିବାର ବାରମ୍ବାର ଦାବି ଜଣାଇ ଆସୁଥିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୫.୧୧.୨୦୧୮ରିଖରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରି ଏମାନଙ୍କ ଦାବି ଉପରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଘୋଷଣା କରିବା ସତ୍ତ୍ୱେ ଦୀର୍ଘ ଅଢେଇବର୍ଷ ବିତିଯାଇଥିଲେ ମଧ୍ୟ ଏହା ଉପରେ କିଛି ସଠିକ କାର୍ଯ୍ୟକାରିତା ନହୋଇପାରିବା ଜଣେ ନମ୍ବର ୱାନ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ କି? ମହିଳାଙ୍କୁ ସମ୍ମାନ ଦେବା ଓ ସଶକ୍ତ କରୁଥିବା କଥା କହୁଥିବା ସରକାରଙ୍କ ସମୟରେ ଯଦି ଆଜି ବି ଶହ ଶହ ମହିଳା ଘରକୋଣରୁ ଆସି ରାଜରାସ୍ତାରେ ନିଜର ଦାବି ପାଇଁ ଧାରଣାରତ ରୁହନ୍ତି ଓ ସରକାର ତାଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ ନ କରିପାରୁଛନ୍ତି ତେବେ ଏହା କି ପ୍ରକାର ମହିଳାଙ୍କୁ ସଶକ୍ତ ବା ସମ୍ମାନ ମିଳୁଛି ବୋଲି ପ୍ରଶ୍ନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ଗଭୀର ଭାବରେ ଚିନ୍ତା କରିବା ଏକାନ୍ତ ଆବଶ୍ୟକ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକନମ୍ବର ମୁଖ୍ୟମନ୍ତ୍ରୀ ଓ ଏକ ଜନହିତକାରୀ ସରକାର ଭାବରେ ଏ କଥାକୁ ହୃଦୟଙ୍ଗମ କରି ଖୁବ୍ ଶୀଘ୍ର ଏ ସମସ୍ୟାର ଆଶୁ ସମାଧାନ କରିବାକୁ ପରିଷଦ ତରଫରୁ ଦାବି କରିବା ସହ ଅନୁରୋଧ କରୁଅଛୁ । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସାଧାରଣ ସମ୍ପାଦକ ବର୍ଷିୟାନ ସଂଗଠକ ଦେବରାଜ ନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରତିମା ନାୟକ, ସମ୍ପାଦିକା ଦିବ୍ୟଲତା ରାଉତ, ପୁରୀଜିଲ୍ଲା ସଭାନେତ୍ରୀ ଶୁଭଲକ୍ଷ୍ମୀ ପାଣ୍ଡେଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତାମାନଙ୍କ ସମେତ ଶତାଧିକ ସବୁଜପତ୍ରିକାଧାରୀ ଉକ୍ତ ଧାରଣାରେ ଯୋଗ ଦେଇଥିଲେ । ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ସହକାରୀ ସଚିବଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରି ସାନ୍ତ୍ୱନାମୂଳକ ପ୍ରତିଶ୍ରୁତି ପାଇବା ପରେ ଧାରଣାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ଯଦି ଆଗାମୀ ବିଧାନସଭା ପୂର୍ବରୁ ଏ ସମସ୍ୟାର ବିହିତ ପ୍ରତିକାର କରାନଯାଏ, ତେବେ ଲକ୍ଷାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇବେ ବୋଲି ପରୋକ୍ଷରେ ଚେତାବନୀ ଦିଆଯାଇ ଧାରଣାରୁ ଓହରି ଯାଇଥିବା କଥା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ