ଟ୍ରେନରୁ ପଡି ସୁରତ୍ ଫେରନ୍ତାଙ୍କ ମୃତ୍ୟୁ
ଗାଙ୍ଗପୁର, (ସନ୍ତୋଶ ବିଷୋୟୀ ): ବେଲଗୁଣ୍ଠା ବ୍ଲକ୍ ତନରଡା ପଂଚାୟତ କେବିରି ବ୍ରହ୍ମପୁର ଅରକ୍ଷିତ ସ୍ୱାଇଁ (55) ,ପିତା- ସ୍ଵର୍ଗତ ଅର୍ଜୁନ ସ୍ୱାଇଁ ଚାରି ମାସ ତଳେ ସୁତା କଳରେ କାମ କରିବା ପାଇଁ ସୁରତ୍ ଯାଇଥିଲେ I ସୁରତରେ କରୋନାର ଭୟାବହତାକୁ ଦେଖି ସେ ନିଜ ଗାଆଁକୁ ସୁରତ୍-ପୁରୀ ଗାଡ଼ିରେ ଫେରୁଥିବା ସମୟରେ ତିରିଶ ତାରିଖ ଦିନ ଭୋର୍ ତିନିଟାରୁ ଚାରିଟା ଭିତରେ କଣ୍ଟାବାଞ୍ଜି ଷ୍ଟେସନ୍ ରୁ ଦଶ କିଲୋମିଟର ଦୂରରେ କୌଣସି କାରଣରୁ ଟ୍ରେନ୍ ରୁ ଖସି ପଡିଥିଲେ I ତାଙ୍କ ସାଥିରେ ଥିବା କିଛି ଓଡ଼ିଆ ଶ୍ରମିକ ଜିଆର୍ ପୋଲିସ୍ କୁ ଖବର ଦେଇଥିଲେ I ଜିଆର୍ ପୋଲିସ୍ ଶବକୁ ଜବତ କରି ତାଙ୍କ ପାଖରେ ଥିବା କିଛି କାଗଜ ପତ୍ରରୁ ଫୋନ୍ ନମ୍ଵର୍ ପାଇ ତାଙ୍କ ସମ୍ପର୍କୀୟ ଭାଇ ବଡବୋରସିଙ୍ଗି ଦିଲୀପ ସ୍ଵାଇଁଙ୍କୁ ଜଣାଇଥିଲେ I ଖବର ପାଇ ତାଙ୍କ ସମ୍ପର୍କୀୟ ମାନେ ଶବକୁ ଚିହ୍ନଟ ଏବଂ ବ୍ୟବଚ୍ଛେଦ କରାଇବା ସହ କଣ୍ଟାବାଞ୍ଜିରେ ଶେଷକୃତ୍ୱ ସମ୍ପନ୍ନ କରି ଆଜି ଘରକୁ ଫେରିଛନ୍ତି I ଦୁର୍ଘଟଣାରେ ମୃତ ସ୍ୱାଇଁଙ୍କର ମୁଣ୍ଡରେ ଗଭୀର ଆଘତ ହେବା ସହ ହାତ ଗୋଡ଼ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା I ସେ ଥିଲେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି I ତାଙ୍କର ଚାରୋଟି ଝିଅ ମଧ୍ୟରୁ ଏବେ ମଧ୍ୟ ଗୋଟିଏ ଝିଅ ଅବିବାହିତ ଅଛି I ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ କିଛି ସରକାରୀ ସହଯୋଗ ପାଇଁ ଅଞ୍ଚଳବାସୀ ସରକାରଙ୍କୁ ନିବେଦନ କରିଛନ୍ତି I


