ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ପିକଅପ ଭ୍ୟାନ, ଚାଳକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରବିବାର ସକାଳ ପ୍ରାୟ ୧୧ଘଣ୍ଟା ସମୟରେ ହିଞ୍ଜିଳି ଥାନା ରାଳବ ଛକ ନିକଟସ୍ଥ ଏକ ବିଲ ମଧ୍ୟରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଦୂର୍ଘଟଣାରେ ଭ୍ୟାନ ଚାଳକ ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣି ଗ୍ରାମର ପିତାମ୍ବର ଭୁୟାଁ (୩୦) ଗୁରୁତର ଆହତ ହୋଇଥିଲେ । ବିଲ ନିକଟରେ କାମ କରୁଥିବା କିଛି ଚାଷୀ ଆହତ ଗାଡି ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୋଲିସ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଏ ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।