‘ଦ୍ୱିତୀୟ ପାଇକ ବିଦ୍ରୋହ’ ପାଇଁ ଆହ୍ୱାନ ଦେଲା ପାଇକ ମହାସଂଘ
ଭୂବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରତ୍ୟେକ ବର୍ଷ ପରି ମାର୍ଚ୍ଚ ୨୯ ତାରିଖକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ପାଇକ ଦିବସ ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ କରୋନାର କଟକଣା ଭିତରେ ସାମାଜିକ ଦୂରତା ଓ ସରକାରୀ ନୀତିନିୟମ ମଧ୍ୟରେ ପାଇକ ଦିବସ ପାଳିତ ହୋଇଯାଇଛି । ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପାଇକ ଦିବସ ପାଳନ ଅବସରରେ ଆଉ ଏକ ପାଇକ ବିଦ୍ରୋହ ପାଇଁ ଆହ୍ୱାନ ଜଣାଇଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ପାଇକ ବିଦ୍ରୋହ’ ପ୍ରଥମେ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ଏହାର ୪୦ ବର୍ଷ ପରେ ଦେଶରେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା । ତେଣୁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ମହାସମାରୋହରେ ପାଳନ କଲେ । କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ର ବଜେଟରେ ଅର୍ଥ ବରାଦ କଲେ । ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଐତିହାସିକ ବରୁଣେଇ ପୀଠରେ ପାଇକ ସ୍ମାରକୀର ଶିଳାନ୍ୟାସ ମହାସମାରୋହରେ ପାଳନ କଲେ । କେନ୍ଦ୍ରମନ୍ତ୍ରୀ ପାଇକ ବିଦ୍ରୋହକୁ ସି.ବି.ଏସ୍.ଇ. ପାଠ୍ୟକ୍ରମରେ ସ୍ଥାନିତ କରି ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେଇ ଆଗାମୀ ପିଢି ପାଇଁ ଏକ ନୂତନ ଇତିହାସ ସୃଷ୍ଟି କରିବାର ପ୍ରତିଶ୍ରୁତି ମଧ୍ୟ ଦେଲେ । ରାଜ୍ୟ ସରକାର ମଧ୍ୟ ବରୁଣେଇଠାରେ ପାଇକ ସ୍ମାରକୀ ପାଇଁ ଜାଗା ଯୋଗାଇ ଦେବା ସହିତ ରାଜ୍ୟରେ ୨୦୦ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳନ କଲେ । ପରନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ରସରକାରଙ୍କର ପ୍ରତ୍ୟେକଟି କାର୍ଯ୍ୟ କେବଳ ପ୍ରତିଶ୍ରୁତି, ପ୍ରତାରଣା ଭିତରେ ରହିଗଲା । ବର୍ତ୍ତମାନ ସୁଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିଲା ନାହିଁ କି ଦେଶର ୭୫ବର୍ଷ ସ୍ୱାଧୀନତାର ପୂର୍ତ୍ତି କରାଯାଉଥିବା ସମୟରେ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭୁଲିଗଲେ ଏବଂ ରାଜ୍ୟ ସରକାର ଏହାକୁ ବିନା ପ୍ରତିବାଦରେ ସହିନେଲେ ଯାହା ପାଇକମାନଙ୍କ ପାଇଁ ଏକ ଉପହାସ । ଓଡ଼ିଶାର ପାଇକମାନେ ନିଜ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେବାକୁ ପଛାଇ ନାହାଁନ୍ତି । ଇଂରେଜ ବିରୁଦ୍ଧରେ ନିଜର ଢାଲ, ତରବାରୀର ଗର୍ଜନ ଇଂରେଜମାନଙ୍କୁ ଉଚିତ ଜବାବ ଦେଇଥିଲା । ଏହି ପାଇକ ଦିବସ ପାଳନ ଅବସରରେ ମହାସଂଘ ରାଜ୍ୟ ଉପଦେଷ୍ଟା ପ୍ରଫେସର ଗାୟନ ସାମଲ, ବିଭୂତି ଭୂଷଣ ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଭୁବନେଶ୍ୱର ସଭାପତି ଅଜୟ ନାଏକ, କଟକ ସଭାପତି ରାଜକିଶୋର ବେହେରା, ଢେଙ୍କାନାଳ ସଭାପତି ନବ ସାମଲ, ଅନୁଗୁଳ ସଭାପତି ରଞ୍ଜନ ବିଶୋଇ, ବାଣପୁର ପାଇକସର୍ଦ୍ଦାର ରଞ୍ଜନ ବଳିୟାରସିଂ, ଇଂ ଶିବପ୍ରସାଦ ମିଶ୍ର, କଣାସ ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ରାଜ୍ୟ ଉପସଭାପତି ଭୀମସେନ ପାଇକରା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଉ ଏକ ପାଇକ ବିଦ୍ରୋହ ପାଇଁ ଆହ୍ୱାନ ଜଣାଇଥିଲେ । ରାଜ୍ୟ ସଂଯୋଜକ କେଦାର ଦାସ ଏହାକୁ ସଂଯୋଜନା କରିଥିବା ସମୟରେ ମୁଖପାତ୍ର ଯୁବ ସାମ୍ବାଦିକ ରାଜୀବ ନୟନ ରଥ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।