ହାବଳେଶ୍ୱର ଅଞ୍ଚଳରେ ମାଳ ମାଳ ବେଆଇନ ଇଟାଭାଟି
ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ହାବଳେଶ୍ୱର ପଞ୍ଚାୟତରେ ଦିନକୁ ଦିନ ତାତି ଏବଂ ଗ୍ରୀଷ୍ମ ପ୍ରବାହ ବଢ଼ିବା ଓ ଇଟାଭାଟି ଗୁଡିକର ତାତି ଏହା ସାଙ୍ଗକୁ ଅସହ୍ୟ ହୋଇପଡିଲାଣି । ହାବଳେଶ୍ୱର ପଞ୍ଚାୟତରେ ହାବଳେଶ୍ୱର, ଜମ୍ଭରା, ଡିମିରିଆ ଏବଂ ବାଲିପଦା ଗ୍ରାମରେ ପ୍ରାୟତ ଶହେରୁ ଉର୍ଦ୍ଧ ବେଆଇନି ଇଟାଭାଟି ଗଢ଼ିଉଠିଛି । ଏମାନଙ୍କର ଭୁମି ନଥାଇ ମଧ୍ୟ ଗୋଚର ଓ ସରକାରୀ ଜମିକୁ ବହୁଦିନ ପୁର୍ବରୁ ଜବରଦଖଲ କରି ଘର, ଜମି ଏବଂ ବେଆଇନ ଇଟାଭାଟି କରି ପ୍ରକୃତିକୁ ଧ୍ୱସଂ କରିବାରେ ଲାଗିଛନ୍ତି । ଆଉ କିଛି ନଦୀପଠାକୁ ଭାଙ୍ଗି ଇଟାଭାଟି ତିଆରିକରି ନଦୀପଠା ଏବଂ ପରିବେଶକୁ ନଷ୍ଟ କରିଚାଲିଛନ୍ତି । ଯାହା ଫଳରେ ସମଣା ଠାରୁ ହାବଳେଶ୍ୱର ପର୍ଯ୍ୟନ୍ତ ଥିବା ବୈତରଣୀ ଆଡିବନ୍ଧ ଧ୍ୱଂସାଭିମୁଖେ ଗଲାଣି । ନଦୀବଢ଼ି ସମୟରେ ଏଠିକାର ବାସିନ୍ଦାମାନେ ନାନା ପ୍ରକାର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରକାର ରାଜସ୍ୱ ହରାଇବା ସଙ୍ଗେ ସଙ୍ଗେ ନଦୀବନ୍ଧ ଦୁର୍ବଳ ହେବାକୁ ବସିଲାଣି । ଯାହା ଏଠାକାର ବାସିନ୍ଦା ନଦୀବଢ଼ି ସମୟରେ ଭୟରେ ବଞ୍ଚୁଛନ୍ତି । ଯାହାର ପରିଣାମ ସ୍ୱରୁପ ୨୦୨୦ବର୍ଷ ଅଗଷ୍ଟ ମାସରେ ନଦୀବଢ଼ିର ବିଭିଷିକା ଦେଖିବାକୁ ମିଳିଥିଲା । ସରକାର ମାଟି ତିଆରି ଇଟାକୁ ବନ୍ଦ କରିବାପାଇଁ ବିଭିନ୍ନ ପଦକ୍ଷେପ ମାନ ନେଇଥିଲେ ମଧ୍ୟ ଏଠାରେ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ଏପରିକି ତହସିଲ ପକ୍ଷରୁ ଇଟା ପ୍ରସ୍ତୁତ ପାଇଁ ଅନୁମତିର ଆବଶ୍ୟକତା ଥିବାବେଳେ ଇଟାଭାଟି ମାଲିକମାନେ ତାହା ମଧ୍ୟ କରୁ ନାହାନ୍ତି । ଲକ୍ଷ ଲକ୍ଷ ଇଟା ପ୍ରସ୍ତୁତ କରିବାପରେ ସେମାନଙ୍କ ରଶମ ମର୍ଜି ଅନୁସାରେ ଅଳ୍ପ କିଛି ପରିମାଣର ଜୋରିମାନା ଦେଇ ନିଜେ ମାଲୋମାଲ ହେଉଛନ୍ତି । ଯାହା ଫଳରେ ସରକାର ବିପୁଳ ପରିମାଣରର ରାଜସ୍ୱ ହରାଉଥିବାବେଳେ ପରିବେଶ ମଧ୍ୟ ପ୍ରଦ୍ୟୁଷିତ ହୋଉଛି । କିଛି ମାଫିଆମାନେ ବେଆଇନ ଭାବେ ଗୋଚର ପଡିଆକୁ ଜବରଦଖଲକରି ନିଜ ନିଜ ଜମିରେ ମିଶାଇବା ଏବଂ ରାସ୍ତା, ଖେଳ ପଡିଆ ଏବଂ ଗାଁ ଅଧିନରେ ଥିବା ଆମ୍ବଗଛ ଗୁଡିକୁ ମଧ୍ୟ ହାଣିନେଉଥିବା ଅଭିଯୋଗ ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।


