ତଦନ୍ତ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଲୁଥେରାନ ଶିଶୁଯତ୍ନ କେନ୍ଦ୍ର ଦୁଷ୍କର୍ମରୁ ପୁତ୍ର ସନ୍ତାନ ଜନ୍ମହେବା ଘଟଣା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଲୁଥେରାନ ମହିଳା ସମିତିର ଶିଶୁ ଯତ୍ନ କେନ୍ଦ୍ରର ମହିଳା କର୍ମଚାରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ ଶିଶୁ ପୁତ୍ର ଜନ୍ମ ହେବା ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପାଟଳିପଙ୍କ ସ୍ଥିତ ସଂସ୍ଥାର କାର୍ଯ୍ୟାଳୟରେ ପହଁଚି ବିଭିନ୍ନ ରେକର୍ଡପତ୍ର ତନଖି କରିବା ସହ ପିଡିତା ମହିଳା କର୍ମଚାରୀ ଓ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ତଦନ୍ତ ପରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଛନ୍ତି ଯେ ଏହା ଏକ ସଂଗୀନ ଅଭିଯୋଗ । ସି.ସି.ଆଇ.ରେ ମହିଳା କର୍ମଚାରୀଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଛି ସେ ସମ୍ପର୍କରେ ହୋଇଥିବା ଅଭିଯୋଗ ଉପରେ ଏକ ଏଫ.ଆଇ.ଆର. ରୁଜୁ କରି ୧୬୪,୧୬୧ଧାରାରେ ପୋଲିସକୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହି ସଂସ୍ଥାରେ ଏଭଳି କାର୍ଯ୍ୟ ଚାଲିଥିବା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଅଧ୍ୟକ୍ଷା କହିଛନ୍ତି । ଏସମ୍ପର୍କରେ ପୂର୍ବରୁ ତାଙ୍କୁ ଜ୍ଞାତ ନଥିଲା ବୋଲି ସେ କହିଛନ୍ତି । ଏ ସଂସ୍ଥା ଏକ ଡେଲିଭରି ସଂସ୍ଥା ଭଳି କାର୍ଯ୍ୟ କରୁଛି ବୋଲି ଅଧ୍ୟକ୍ଷା କହିଛନ୍ତି । ଏଥିସହିତ ଏହି ଘଟଣାରେ ଯେଉଁମାନେ ଦୋଷୀ ଓ ଯେଉଁମାନେ ସରକାରୀ ଅଧିକାରୀ,କର୍ମଚାରୀଙ୍କ ଦ୍ୱାରା ହୋଇଥିବା ଅବହେଳା ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡା ଏସ.ପି. ଓ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତାଙ୍କର ଦାୟୀତ୍ୱ ସଠିକ ଭାବରେ ନିର୍ବାହ କରିନଥିବା ଅଧ୍ୟକ୍ଷା କହିଛନ୍ତି । ଏହି ସଂସ୍ଥାରେ ଅନ୍ତେବାସୀ ବାଳିକା ଓ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି ସେ କହିଛନ୍ତି । ଏହି ଘଟଣା ସମ୍ପର୍କରେ ଅଧ୍ୟକ୍ଷାଙ୍କୁ ପ୍ରଥମେ ଦୃଷ୍ଟିଆକର୍ଷଣ କରିଥିବା ପ୍ରୋଗ୍ରେସିଭ ଓମେନସ ଆସୋସିଏସନର ସଭାପତି ମମତା ସାମନ୍ତରାୟ କହିଛନ୍ତି ଯେ ପିଡିତାଙ୍କ ଅଭଯୋଗ ଶୁଣିଲେ ପାଦତଳୁ ମାଟି ଖସିଯିବ । ଅସହାୟା ମହିଳା ଓ ନାବାଳିକାଙ୍କ ପାଇଁ ସୁରକ୍ଷା ଯୋଗାଇଦେବାକୁ ଥିବା ଏଭଳି ସଂସ୍ଥାରେ ଏତେସବୁ ଅନୈତିକ କାର୍ଯ୍ୟ ଚାଲିଥିବା ବେଳେ ଏହି ସଂସ୍ଥାକୁ ପ୍ରତ୍ୟେକ ମାସରେ ପରିଦର୍ଶନ କରୁଥିବା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଧିକାରୀମାନେ କିଭଳି ଘଟଣା ସମ୍ପର୍କରେ ଜାଣି ପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ତେଣୁ ପିଡିତା ମହିଳା ଓ ତାଙ୍କ ଶିଶୁପୁତ୍ରକୁ ଉଚିତ ନ୍ୟାୟ ପ୍ରଦାନ ଏବଂ ସମସ୍ତ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମି ଦିନରେ ତାଙ୍କ ସଙ୍ଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସୁଶ୍ରୀ ସାମନ୍ତରାୟ କହିଛନ୍ତି । ଏଥିସହିତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କୁ ଅଭିଯୋଗ କରିଥିବା ଲୁଥେରାନ ମହିଳା ସମିତିର ସମ୍ପାଦିକା ମଧ୍ୟ ଘଟଣା ସମ୍ପର୍କରେ ବର୍ଣ୍ଣନା କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତଦନ୍ତ ପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ସାଧାରଣରେ ଉଛୁକତା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ