ପାନୀୟ ଜଳ ସମସ୍ୟାକୁ ନେଇ ଘେରିଲେ କାର୍ଯ୍ୟାଳୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହୁକମା ପାରଳାଖେମୁଣ୍ଡି ସହରର ରାମନଗର, ଦୁର୍ଗାମାପେଟା, ରେଲିପାପୁଡୁ ସାହି ଆଦି ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ କରିଥିବାର ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳବାସୀ ବହୁ ଦିନ ହେଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଘରୋ ଅବ୍ୟବସ୍ଥା ମଧ୍ୟରେ ଯୋଗାଇ ଦିଆଯାଉଛି । ବହୁ ସମୟରେ ସଠିକ ଭାବେ ଜଳ ଯୋଗାଉ ନଥିବା ବେଳେ ଅନେକ ସମୟରେ ଖୁବ କମ ପରିମାଣର ପାଣି ଯୋଗାଇ ଦିଆଯାଉଛି । ଏହି ଅଞ୍ଚଳ ଗୁଡିକ ଉପର ମୁଣ୍ଡରେ ଥିବା ଏବଂ ଦିନକୁ ଦିନ ଗ୍ରୀଷ୍ମର ଉତ୍ତାପ ବୃଦ୍ଧି ପାଉଥିବାରୁ ଏହି ଅଞ୍ଚଳରେ ଥିବା କୂପ, ନଳକୂପ ଗୁଡିକରେ ଜଳସ୍ତର କମିଯାଇଛି । ଯାହା ଦ୍ୱାରା ପିଇବା ପାଇଁ ପାଣି ମୁନ୍ଦାଏ ପାଇବା କଷ୍ଟକର ହୋଇପଡୁଛି । ଅପର ପକ୍ଷରେ ସହରରେ ଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡିକୁ ହଟାଇ ଦିଆଯାଇଥିବାରୁ ଜଳକଷ୍ଟ ଦ୍ୱିଗୁଣା ବୃଦ୍ଧି ପାଇଛି । ଗୋଟିଏପଟେ ପାନୀୟ ଜଳ ସଠିକ ଭାବେ ଯୋଗାଇ ଦିଆଯାଇ ପାରୁନଥିବା ବେଳେ ଅନ୍ୟପଟେ ଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡିକୁ କିପରି ହଟାଇ ଦିଆଯାଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ସମସ୍ୟାକୁ ନେଇ ଅଞ୍ଚଳବାସୀ ବହୁ ମାସ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ପ୍ରଦ ନ ହେବାରୁ ଆଜି ଅଞ୍ଚଳର ବହୁ ମହିଳା ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଠାରେ ପହଞ୍ôଚ ଘେରାଉ କରିଥିଲେ । ଏହି ଘେରାଉ ବେଳେ କେ.ପୁଣ୍ୟବତୀ, ଜଗନ୍ନାଥ ମହାପାତ୍ର ଏସ୍.ସାବିତ୍ରୀ, କେ. କୁମାରୀ, ଭି.ଭାରତୀ ପ୍ରମୁଖଙ୍କ ସହ ଶତାଧିକ ଜନସାଧାରଣ ଉପସ୍ଥିତଥିଲେ । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ବେଳେ ସେ ଫୋନ ଉଠାଇ ନଥିଲେ ।