ପିଓକେରେ ତେଜିଲା ଆନ୍ଦୋଳନ
ଇସଲାମାବାଦ୍ : ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଏବେ ସ୍ୱାଧୀନତା ଆନ୍ଦୋଳନ ଜୋରଦାର ହୋଇଛି । ପାକିସ୍ତାନୀ ସେନାର ଦମନ ବିରୋଧରେ ହଜାର ହଜାର ଜନତା ଦୁଇ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି । ସେନା କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁକୁ ନେଇ ସମଗ୍ର ଗିଲ୍ଗିଟ୍ ବାଲତିସ୍ତାନରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଆନ୍ଦୋଳନକାରୀ ନେତାଙ୍କୁ ପୁଲିସ ଓ ସେନା ଟାର୍ଗେଟ୍ କରି ଜୁଲମ୍ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ପିଏନ୍ଏ (ପିପୁଲସ୍ ନ୍ୟାସନାଲ୍ ଆଲିଆନ୍ସ)ର କର୍ମୀମାନେ ରାସ୍ତା ଅବରୋଧ କରିବା ସହ ପାକିସ୍ତାନର ପତାକା ପୋଡ଼ିଛନ୍ତି । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାପାଇଁ ପାକିସ୍ତାନୀ ସେନା ଦ୍ୱାରା ଟିୟର ଗ୍ୟାସ୍ ସେଲ୍ ପ୍ରୟୋଗ କରାଯାଇଛି । ପିଓକେର ରାଜଧାନୀ ମୁଜାଫରବାଦରେ ଜରୁରୀ ସ୍ଥିତି ଜାରି ହୋଇଛି । ପିଓକେର ଅନ୍ୟତମ ସହର ମୀରପୁରରେ ୨୦ରୁ ଅଧିକ ସ୍ଥାନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ସହ ସରକାରୀ ପ୍ରତିଷ୍ଠାନ ବନ୍ଦ କରିଛନ୍ତି । ନିଲମ ଭାଲି ଅଂଚଳକୁ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଆଡାରେ ପରିଣତ କରିଥିବାରୁ ଗ୍ରାମବାସୀମାନେ ସେନାର ଏହି ନିଷ୍ପତ୍ତି ବିରୋଧରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ରସ୍ତାକୁ ଓହ୍ଲାଇଥିଲେ । ମୁଜାଫରବାଦ୍ ପ୍ରେସ୍ କ୍ଲବ୍ ବାହାରେ ବହୁ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧି ଆନ୍ଦୋଳନ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ହୋଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ସେନାର ବଳପ୍ରୟୋଗ ଗଣତାନ୍ତ୍ରିକ ଏବଂ ମାନବିକ ଅଧିକାରକୁ ଉଲ୍ଲଂଘନ କରିଛି ବୋଲି ସାମ୍ବାଦିକମାନେ କହିଛନ୍ତି ।


