ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ

ଭୁବନେ‌ଶ୍ୱର(‌ୱାଇଏନ୍‌ଏସ୍‌): ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ରାଜଧାନୀ ଭୁବନେ‌ଶ୍ୱର ସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ଅଜିତ ମଙ୍ଗରାଜଙ୍କର ପରଲୋକ ଖବର ଦିଆଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ପିପିଲି-ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କର ବିୟୋଗରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ଖବର ଶୁୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସର ବହୁ ବରିଷ୍ଠ ନେତା ଆପୋଲୋ ହସ୍‌ପିଟାଲରେ ପହଂଚିଛନ୍ତି। ଅନ୍ୟ ପକ୍ଷରେ ପିପିଲି ଉପନିର୍ବାଚନ ସ୍ଥଗିତ ହେବା ନେଇ ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରାର୍ଥୀଙ୍କର ମୃତ୍ୟୁ ହେଲେ ମତଦାନ ବାତିଲ୍ କରାଯାଇଥାଏ। ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିିନୀପତି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଶୋକପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ