ଜଗା-ବଳିଆଙ୍କ ଯୋଡ଼ାମୁଣ୍ଡ ଅଲଗା ହେବାକୁ ଆଜି ଦୁଇ ବର୍ଷ
ନୂଆଦିଲ୍ଲୀ : ୨୦୧୭ ଅକ୍ଟୋବର ୨୫ ତାରିଖ ଦିନ ଏମ୍ସଠାରେ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର କରାଯାଇ କନ୍ଧମାଳର ଜଗା-ବଳିଆ ଯୋଡ଼ାମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ସଫଳ ଅସ୍ତ୍ରୋପଚାର ଆଜି ଦୁଇବର୍ଷରେ ପଦାର୍ପଣ କରିଛି । ଗତ ମାସରେ ଦୁଇ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସ୍ସରୁ କଟକ ଏସ୍ସିବି ମେଡିକାଲ କଲେଜକୁ ସ୍ତାନାନ୍ତରିତ କରାଯାଇଛି । ଏମ୍ସ ଡାକ୍ତରୀ ଦଳ ଲଗାତାର ଏସସିବି ମେଡିକାଲ କଲେଜ ଡାକ୍ତରମାନଙ୍କ ସହିତ ଦୁଇ ଶିଶୁମାନଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯୋଗାଯୋଗରେ ରହୁଛନ୍ତି । ଦୁଇ ଶିଶୁଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ୬ ମାସର ଔଷଧ ମଧ୍ୟ ଏସ୍ସିବି ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମ୍ସ ଦିଲ୍ଲୀରେ ଜଗା-ବଳିଆଙ୍କୁ ସଫଳ ଅପରେସନ ପରେ ଏଭଳି ବିରଳ ଓ ଜଟିଳ ଅପରେସନକୁ ଭାରତରେ କିଭଳି କମ୍ ଖର୍ଚ୍ଚରେ କରାଯାଇ ପାରିବ, ସେନେଇ ଏମ୍ସ ଡାକ୍ତରୀ ଦଳ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି । ଜଗ-ବଳିଆଙ୍କ ଅପରେସନର ସଫଳ କାହାଣୀ ଅନ୍ତର୍ଗତ ଏଭଳି ବିରଳ ଅପରେସନରେ ଡାକ୍ତରୀ ଦଳକୁ ମିଳିଥିବା ସଫଳତାକୁ ଏମ୍ସ ଡାକ୍ତରୀ ଦ୍ୱାରା ଆନ୍ତର୍ଜାତୀୟ ମେଡିକାଲ ଜର୍ନାଲମାନଙ୍କରେ ଗବେଷଣାମୂଳକ ଲେଖା ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅପରେସନର ବିଭିନ୍ନ ଦିଗ ତଥା ଜଟିଳତା ସମ୍ପର୍କରେ ସ୍ୱତନ୍ତ୍ର ଗବେଷଣାମୂଳକ ପ୍ରବନ୍ଧ ପ୍ରକାଶନ ପାଇଁ ପ୍ରସ୍ତୁତ କାରଯାଇଥିବାର ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦେଶରେ ଜଗା-ବଳିଆଙ୍କ କ୍ଷେତ୍ରରେ ଏମ୍ସ ଡାକ୍ତରମାନେ ହାସଲ କରିଥିବା ଖ୍ୟାତି ଦେଶ ଓ ବିଦେଶର ପ୍ରଚାର ଓ ପ୍ରସାର ହେଉ ବୋଲି ମତବ୍ୟକ୍ତ କରିସାରିଛନ୍ତି । ସୂଚନା ଅନୁସାରେ, ଜାଗ-ବଳିଆଙ୍କ ସଫଳ ଅପରେସନ ପରେ ବର୍ତ୍ତମାନ ଯୋଡ଼ା ମୁଣ୍ଡ ଅବସ୍ଥାରେ ଥିବା ହାଇଦ୍ରାବାଦର ୧୭ ବର୍ଷୀୟା ବାଣୀ ଓ ବୀଣା ଏବଂ ପାଟଣାର ୨୩ ବର୍ଷୀୟା ଶାବା ଓ ଫାରହାଙ୍କୁ ଏମ୍ସର ଡାକ୍ତରମାନେ ସାକ୍ଷାତ କରି ସଫଳ ଅପରେସନ ସମ୍ପର୍କରେ ଅବଗତ କରାଇବା ସହିତ ସେମାନଙ୍କୁ ଅପରେସନ କରାଇବା ପାଇଁ ଉତ୍ସାହିତ କରାଇଥିଲେ । ହେଲେ ଉଭୟ ଯୋଡ଼ା ମୁଣ୍ଡଧାରୀ ଅପରେସନ ପାଇଁ ପ୍ରସ୍ତୁତ ରାଜି ହୋଇନଥିବାର ଡାକ୍ତରମାନେ କହିଛନ୍ତି ।
ପ୍ରକାଶଥାଉକି, ୧୯୧୨ରୁ ୨୦୧୯ ଭିତରେ ବିଶ୍ୱରେ ୧୧୬ ଯୋଡ଼ାମୁଣ୍ଡ ମାମଲାରେ ୧୫ ଜଣଙ୍କର ଅପରେସନ ସଫଳ ହୋଇଥିବା ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି । ଭାରତରେ ଜଗା-ବଳିଆଙ୍କ ଏମ୍ସରେ ସଫଳ ଅପରେସନର ଦୁଇ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଆଗକୁ ଏଭଳି ଜଟିଳ ଅପରେସନକୁ ଭାରତର ପ୍ରତିଷ୍ଠିତ ଚିକତ୍ସା କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯାଇ ପାରିବ ସେ ନେଇ ଏମ୍ସ ଡାକ୍ତରମାନେ ଉଦ୍ୟମ ଜାରି ରଖିଛନ୍ତି ।


