ଅଣ୍ଡା ଖାଇବାକୁ ନଦେବାରୁ ସ୍ୱାମୀଙ୍କୁ ଛାଡ଼ିଲେ ମହିଳା

ଗୋରଖପୁର: ଉତ୍ତରପ୍ରଦେଶ ଗୋରଖପୁର ସ୍ଥିତ ଏକ ଗାଁରେ ଅଜବ ଘଟଣା ଘଟିଛି । ନିୟମିତ ଅଣ୍ଡା ଖାଇବାକୁ ନ ଦେବାରୁ ଜଣେ ମହିଳା ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ଚାରି ମାସ ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ଏପରି ପଦକ୍ଷେପ ନେଇଥିଲେ । ଫେରିଲା ପରେ ମହିଳା ଜଣଙ୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଥିଲେ । ସେ କହିଥିଲେ ଯେ, ତାଙ୍କ ସ୍ୱାମୀ ତାଙ୍କୁ ନିୟମିତ ଭାବରେ ଅଣ୍ଡା ଖାଇବାକୁ ଦେଉନାହାଁନ୍ତି । ଗତ କିଛି ଦିନ ମଧ୍ୟରେ ମହିଳା ଜଣଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରି ଫେରାର ହୋଇଯାଇଛନ୍ତି । ତାଙ୍କ ପ୍ରେମିକ ଘରେ ନ ଥିବାରୁ ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହ ଫେରାର ହୋଇଥିବା ସନ୍ଦେହ କରି ନିରୂପାୟ ସ୍ୱାମୀ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ଏହା ସହ ମହିଳା ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ନଣନ୍ଦକୁ ମଧ୍ୟ ନିଜ ସହ ସାଙ୍ଗରେ ନେଇଥିବା ଅଭିଯୋଗ ହୋଇଛି । କମ୍ପିୟରଗଞ୍ଜ ଅଞ୍ଚଳରେ ରହୁଥିବା ଏହି ମହିଳାଙ୍କ ସ୍ୱାମୀ ଶ୍ରମିକ ଭାବରେ କାର୍ଯ୍ୟ କରି ଜୀବନଯାପନ କରନ୍ତି । ଉଭୟ ଚାରି ବର୍ଷ ପୂର୍ବେ ବିବାହ କରିଥିଲେ । ଗତ ଏକ ବର୍ଷ ହେବ ପଡୋଶୀରେ ରହୁଥିବା ଜଣେ ଯୁବକଙ୍କ ସହ ଉକ୍ତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଗତ ଚାରି ମାସ ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ଉକ୍ତ ଯୁବକ ସହ ଫେରାର ହୋଇଯାଇଥିଲେ । ପୁଲିସ ଛାନ୍‌ଭିନ୍ କରି ଉକ୍ତ ମହିଳାଙ୍କୁ ଧରିବା ପରେ ଜଣାପଡିଥିଲା ଯେ, ତାଙ୍କ ସ୍ୱାମୀ ତାଙ୍କୁ ନିୟମିତ ଅଣ୍ଡା ଖାଇବାକୁ ଦେଉନାହାନ୍ତି । କିନ୍ତୁ ତାଙ୍କ ପ୍ରେମିକ ଏ ଦିଗ ପ୍ରତି ସଚେତନ ଥାଆନ୍ତି । ଏଥର ମଧ୍ୟ ଏହି କାରଣରୁ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ସାଙ୍ଗରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ନଣନ୍ଦକୁ କାହିଁକି ନେଇ ଯାଇଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ