ବ୍ୟାଙ୍କ ଖାତାକୁ ବେଆଇନ ଭାବେ ପଟ୍ଟାମୁଣ୍ଡାଇ ବିଡିଓ ବନ୍ଦ କରିଦେଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୋହନପୁର ଗ୍ରାମ ପଂଚାୟତର ଭୋଳିବାବା ପଂଚାୟତ ମିଶନ ଶକ୍ତି ଗୋଷ୍ଠି ର କର୍ମକର୍ତ୍ତାମାନେ ମଙ୍ଗଳବାର ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ପ୍ରାୟ ଦୀର୍ଘ ୯ବର୍ଷ ହେବ ଏହି ମହିଳା ଗୋଷ୍ଠି କାର୍ଯ୍ୟ କରିଆସୁଥିବା ବେଳେ ଗୋଷ୍ଠି ନାମରେ ପଟ୍ଟାମୁଣ୍ଡାଇ ସିଣ୍ଡିକେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ୩ଗୋଟି ଆକାଉଁଟ ଋଣ ଓ ଖର୍ଚ୍ଚ ଭଳି ବିଭିନ୍ନ ବାବଦରେ ଖୋଳାଯାଇ ୨୦୦୯ ମସିହାରୁ ସେହି ବ୍ୟାଙ୍କ ଖାତାରେ ଦେଣନେଣ କାରବାର ହୋଇଆସୁଥିଲା । କିନ୍ତୁ ଗୋଷ୍ଠିର ପୂର୍ବତନ ସଭାପତି ଓ ସମ୍ପାଦିକା ମହାସଙ୍ଘର ସଦସ୍ୟମାନଙ୍କ ଅଜ୍ଞାତସାରରେଗୋଷ୍ଠିର ବ୍ୟାଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ଚଂଚକତାକରି ଉଠାଇନେଇ ଆତ୍ମସାତ କରିଥିବାରୁ ଗୋଷ୍ଠିର ସମସ୍ତ ସଦସ୍ୟା ତାହାର ପ୍ରତିବାଦ କରିବା ସହ ବୈଠକ ଡକାଇ ଉଭୟ ସଭାପତି ଓ ସମ୍ପାଦିକାଙ୍କୁ ବଦଳାଇ ଦେଇଥିଲେ । ତେଣୁ ପଟ୍ଟାମୁଣ୍ଡାଇ ବ୍ଲକର ବିଡିଓ ସେହି ଦୁଇଜଣଙ୍କୁ ଘଂଟ ଘୋଡାଇବା ଉଦେଶ୍ୟରେ ଗତ ଦେଢବର୍ଷ ହେବ ଗୋଷ୍ଠିର ସେହି ୩ଟି ବ୍ୟାଙ୍କ ଖାତାକୁ ବ୍ୟାଙ୍କକୁ ଚିଠି ଲେଖି ବନ୍ଦ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଫଳରେ ସେମାନେ ବ୍ୟାଙ୍କ ଖାତାରେ ଜମା କରିବା ଓ ଋଣ ଉଠାଇବାରେ ନାହିଁ ନଥିବା ଅସୁବିଦାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ଜଣାଇବାରେ ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ସମସ୍ୟାର ସମାଧାନ ନିମନ୍ତେ ନିର୍ଦେଶ ଦେଇଥିଲା ବେଳେ ମହାସଙ୍ଘର କର୍ମକର୍ତ୍ତା ଓ ସଦସ୍ୟାମାନେ ବିଡିଓଙ୍କୁ ଭେଟି ନିବେଦନ କରିବାରୁ ବିଡିଓ ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରି ଅଫିସ ବାହାରକୁ ବାହାର କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ଗୋଷ୍ଠିର ସଭାପତି ଭାରତୀ ବେହେରା,ସମ୍ପାଦିକା ଜୟନ୍ତୀ ଦାସ,ସରଳା ବାଇ,ନଳିନୀପ୍ରଭା ଚୈାଧୁରୀ,ଲକ୍ଷ୍ମୀପ୍ରିୟା ଦାସ,ମମତା ମଣ୍ଡଳ,ପୂର୍ଣ୍ଣିମା ନାଥ,ମୀନତି ଦାସ,ସୁଶିଳା ମଳିକ,ଗୀତାଞ୍ଜଲି ସାହୁ,କବିତା ଦଳାଇ,ତୃପ୍ତି ପରିଡା,ଗୈାରୀପ୍ରଭା ସାହୁ,ମଞ୍ଜୁଲତା ମଣ୍ଡଳ,ସତ୍ୟଭାମା ବେହେରା,ପ୍ରମିଳା ବେହେରା ସବିତା ବାଇ ପ୍ରମୁଖ ଗୋଷ୍ଠିର କର୍ମକର୍ତ୍ତା ଓ ସଦସ୍ୟାମାନେ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ