ଯୋଡା ଗସ୍ତରେ ଆସିବେ ଏମ୍ପପାଓାରଡ୍ କମିଟି
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଅଂଚଳକୁ ସୁପ୍ରିମ କୋର୍ଟ ଦ୍ୱାରା ଗଠିତ ସେନ୍ଟରାଲ ଏମ୍ପପାଓାରଡ୍ କମିଟି ବୁଧବାର ଡିଏମଏଫ ଅର୍ଥର ବିନିଯୋଗର ଗସ୍ତରେ ଆସୁଥିବାର ସୂଚନା ମିଳିଛି । ଖଣି ପ୍ରଭାବିତ ଅଂଚଳରେ ଡିଷ୍ଟିକ ମିନେରାଲ ଫାଉଣ୍ଡେସନ(ଡିଏମଏଫ) ଟଙ୍କା କିପରି ଖର୍ଚ୍ଚ ହେଉଛି , ଏହାର ତଦାରଖ ପାଇଁ ସିଇସି ଟିମ୍ ପକ୍ଷରୁ ମହେନ୍ଦ୍ର ବ୍ୟାସ, ପି.ଭି ଜୟକ୍ରୀଷ୍ଣା , ଏସ୍.କେ ପଟ୍ଟନାୟକ , ଅମରନାଥ ସେଠୀ ଏହି ଗସ୍ତରେ ଆସୁଥିବାର ସୂଚନା ମିଳିଛି । ଯୋଡା ଖଣି ମଣ୍ଡଳରୁ ଚଳିତ ବର୍ଷ ପ୍ରାୟ ୩୨୦୦ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି । ଏତଦବ୍ୟତିତ ଅନିୟମିତତା କରି ଖଣି ଖୋଳିଥିବା ଖଣି ଗୁଡିକରୁ ପ୍ରାୟ ୮ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ବାବଦରେ ଆଦାୟ ହୋଇଛି । ଏହି ସମସ୍ତ ଟଙ୍କା ଖଣି ପ୍ରଭାବିତ ଅଂଚଳରେ ଖର୍ଚ୍ଚ କରାଯିବାର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ରହିଛି । ଏହି ଟଙ୍କାକୁ ଜିଲା ପ୍ରଶାସନ କିପରି ଖର୍ଚ୍ଚ କରୁଛି ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁ ସବୁ ବିକାଶ ମୂଳକ କାର୍ଯ୍ୟ ଏହି ଅର୍ଥ ବଳରେ ହୋଇଛି ,ଏହାର ତଦାରଖ କରିବା ପାଇଁ ସିଇସି କମିଟି ବୁଧବାର କେନ୍ଦୁଝର ଜିଲା କୁ ଆସୁଛନ୍ତି । ଏହି ଡିଏମଏଫ ଅର୍ଥ ବ୍ୟୟରେ ହେଉଥିବା ପ୍ରକଳ୍ପ ଗୁଡିକୁ କମିଟି ପକ୍ଷରୁ ପରିଦର୍ଶନ କରାଯିବା ସହିତ ଏହି ଅର୍ଥର ହିସାବ ମଧ୍ୟ ଦେଖିବେ ବୋଲି ସୂଚନା ମିଳିଛି । ଏହି ଟଙ୍କାର ସୁବିନିଯୋଗ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ହେଉନଥିବା ବହୁ ସମୟରେ ଅଭିଯୋଗ ହୋଇଥାଏ । ଏହି ଡିଏମଏଫ ଅର୍ଥର ସୁବିନିଯୋଗ କିପରି ହେଉଛି ତାହା ବାମେବାରୀ-ଜୁରୁଡି-ବାଂଶପାଣି ରାଜ୍ୟ ରାଜପଥ ନଂ ୨ କୁ ଦେଖିଲେ ଜଣାପଡିବ ବୋଲି ଜୁରୁଡି ଅଂଚଳର ବରିଷ୍ଠ ନାଗରିକ ସୁରେନ୍ଦ୍ରନାଥ ମହାନ୍ତି କହିଛନ୍ତି ।


