ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ବରିଷ୍ଠଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ରାପଡାବାଡ଼ି ସ୍କୁଲ ପରିସର ମଧ୍ୟରେ ଦିବ୍ୟାଙ୍ଗ,ବରିଷ୍ଠ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ରାପଡ଼ାବାଡ଼ି ସ୍କୁଲ ସଭାଗୃହ ଠାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଆରସିସି ତଥା ଏବିଓ ସୁବାସିନୀ ଦିଗାଲ,ରାପଡ଼ାବାଡ଼ି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚାରୁଶିଳା ମଲିକ, ବରିଷ୍ଠ ଶିକ୍ଷକ ବିଦେଶୀ ନାୟକ, ବିଜେଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ ସାହୁ, କିରାଣୀ ସଞ୍ଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦାରିଙ୍ଗବାଡ଼ି ସିଆରସିସି ଶ୍ୟାମସୁନ୍ଦର ଦିଗାଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ୫୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ। ଏମଆର କୀଟ ୫୨ ଗୋଟି, ହ୍ବିଲ ଚେଆର ୨, ଡିଜେ ପ୍ଲେୟାର ୫ ଟି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ ଷଡଙ୍ଗୀ, ରଶ୍ମିତା ସେନାପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଦାରିଙ୍ଗବାଡ଼ି ଅଞ୍ଚଳର ଦିବ୍ୟାଙ୍ଗ ଲୋକଙ୍କୁ ବିଭିନ୍ନ ଉପକରଣ ବଣ୍ଟନ ପାଇଁ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ମିଶ୍ର, ବ୍ଲକ ଅଧକ୍ଷା ରୁଦା ମଳିକ, ଏମପି ପ୍ରତିନିଧି କ୍ଷେତ୍ରିବଳ ନାୟକ, ବିଧାୟକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀତିସ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିଲେ। ଶିବିରରେ ୨୯୪ ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡାକ୍ତର ନିବେଦିତା ପୃଷ୍ଟି, ଶିବପ୍ରସାଦ ସାହୁ, ଅଶୋକ ସିଂ, ହେଡ଼କ୍ୱାଟର ବିଏସଏସଓ ପ୍ରମୋଦ କୁମାର ବଡ଼ସେଠ ପ୍ରମୁଖ ଉପସ୍ଥିତ ଥିଲେ ।


