୫୦୦ ଦିନରେ ପ୍ରତାପ ସାହୁଙ୍କ କରୋନା ସେବା: ତୃତୀୟ ଲହର ପାଇଁ ପ୍ରସ୍ତୁତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌) : ମହାମାରୀ କରୋନାର ପ୍ରଥମ ଲହର ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକଙ୍କୁ କରୋନା ସେବା ଯୋଗାଇ ଆସୁଥିବା ସମାଜସେବୀ ପ୍ରତାପ ସାହୁ ଇତି ମଧ୍ୟରେ ସେବା କ୍ଷେତ୍ରରେ ୫୦୦ ଦିନ ଅତିକ୍ରମ କରିସାରିବା ପରେ ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଗତ ୨୦୨୦ ମସିହା ମାର୍ଚ୍ଚ ମାସରୁ ଓଡ଼ିଶାରେ ଦେଖା ଦେଇଥିବା ମହାମାରୀ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ଦୀର୍ଘ ୫୦୦ ଦିନ ଧରି କ୍ରମାଗତ ଭାବେ ଶ୍ରୀଯୁକ୍ତ ସାହୁ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ପ୍ରତିଦିନ ସକାଳ ୬ଟାରୁ ନିଜର ନିତ୍ୟକର୍ମ ସାରି ପ୍ରତାପ ବାହାରି ଯାଇ ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର, ସାବୁନ ଯୋଗାଇ ଦେବା ସହିତ କରୋନାରୁ ରକ୍ଷା ପାଇବା ପାଇଁ ସବୁଦିନ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଥାଆନ୍ତି । ଏହା ସହିତ ବିଭିନ୍ନ ସରକାରୀ, ବେସରକାରୀ ଅଫିସ୍‌, ବସ୍‌ଷ୍ଟାଣ୍ଡ, ରେଲ୍‌ୱେ ଷ୍ଟେସନ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସାନିଟାଇଜ କରି ଲୋକଙ୍କର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି ପ୍ରତାପ । ଖାଲି ମଣିଷ ନୁହଁନ୍ତି, ପଶୁ ଓ ପକ୍ଷୀମାନେ ମଧ୍ୟ ମହାମାରୀ କରୋନାରେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ ଲୋକଙ୍କୁ କରୋନା ସେବା ଯୋଗାଇବା ସହିତ ରାଜଧାନୀରେ ବିଭିନ୍ନ ପଶୁ ଓ ପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଆସୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି, ପାରା, କାଉ, ବଣି ଆଦି ପକ୍ଷୀମାନଙ୍କୁ ଚାଉଳ, ଗହମ ଖାଦ୍ୟ ଦେଉଥିବା ବେଳେ କୁକୁରମାନଙ୍କୁ ରନ୍ଧା ଖାଦ୍ୟ ସହିତ ବିସ୍କୁଟ୍ ଓ ପାଉଁରୁଟି ଖାଇବାକୁ ଦେବା, ଶୀତ ଓ ବର୍ଷାରୁ ରକ୍ଷା ପାଇବା ପାଇଁ କୁକୁରମାନଙ୍କ ପାଇଁ ଆଶ୍ରୟ ନାମକ ଏକ ଗୃହ ନିର୍ମାଣ କରିଛନ୍ତି । ମହାମାରୀ କରୋନା ଯୋଗୁ ଲୋକମାନେ ନିଜର ଜୀବନ ଜୀବିକା ହରାଇବା ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଲୋକମାନେ ନିଜର ପରିବାର ପ୍ରତିପୋଷଣ କରିବାକୁ ମଧ୍ୟ ଅସମର୍ଥ ହୋଇପଡ଼ିଛନ୍ତି । ଲୋକଙ୍କ ଏହି ଦୁର୍ଦ୍ଦିନ ସମୟରେ ପ୍ରତାପ ସେମାନଙ୍କ ନିକଟରେ ପହଂଚି, ସେମାନଙ୍କୁ ଚୁଡ଼ା, ଚାଉଳ, ଚିନି, ଡ଼ାଲି, ତେଲ, ଆଳୁ, ପିଆଜ, ରସୁଣ, ଜିରା, ଲଙ୍କା, ବିସ୍କୁଟ, ଛତୁଆ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ଗରିବ ଓ ଅସହାୟ ଲୋକଙ୍କ ନିକଟରେ ପହଂଚି ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଅନ୍ତି । ଏଥିସହିତ ଲୋକମାନଙ୍କୁ ଭିଟାମିନ୍ ଔଷଧ, ଚ୍ୟାବନପ୍ରାସ, ହର୍ଲିକ୍ସ, ଚା ଓ କଫି ଯୋଗାଉଥିବାବେଳେ ମହିଳା, ପୁରୁଷ ଓ ଛୋଟ ଛୁଆଙ୍କୁ ନୂତନ ଶାଢୀ, ଲୁଙ୍ଗି ଓ ପୋଷାକ ଆଦି ବଣ୍ଟନ କରିଥାନ୍ତି । ଖାଲି ରାଜଧାନୀ ନୁହେଁ, ଏପରିକ କଟକ, ଖୋର୍ଦ୍ଧା, ପୁରୀ ଆଦି ଅଞ୍ଚଳର ଗାହଁ ଗହଳି ବୁୁଲି ଲୋକଙ୍କୁ ସେବା ଯୋଗାଇବା ସହିତ କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇଥାନ୍ତି । ପ୍ରତାପଙ୍କର ଏହି ସେବାକାର୍ଯ୍ୟ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିବା ବେଳେ ଦୈନିକ ଓଡ଼ିଆ ଖବରକାଗଜ ପ୍ରଗତିବାଦୀ ଓ ‘ଜି’ଟିଭି ତରଫରୁ ପ୍ରତାପଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।
ଦ୍ୱିତୀୟ ଲହରର ଭୟ ଲୋକଙ୍କ ମନରୁ ନଯାଉଣୁ ଏବେ ତୃତୀୟ ଲହର ଆସୁଥିବାରୁ, ଏହାକୁ ଆଖିରେ ରଖି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତାପ । ବିଶେଷକରି ତୃତୀୟ ଲହରରେ ଛୋଟ ପିଲାମାନେ ବିଶେଷ ପ୍ରଭାବିତ ହେବେ ବୋଲି ଜଣାପଡ଼ିବା ପରେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି କୁହନ୍ତି ସମାଜସେବୀ ପ୍ରତାପ ସାହୁ । ମହାମାରୀ କରୋନାର ତୃତୀୟ ଲହରରୁ ପିଲାମାନେ କିପରି ରକ୍ଷା ପାଇବେ, ସେ ନେଇ ଏବେଠାରୁ ପିଲାମାନେ ଓ ତାଙ୍କ ପିତାମାତାଙ୍କୁ ସତର୍କ କରାଇବାକୁ ଲାଗି ପଡ଼ିଛନ୍ତି ଶ୍ରୀଯୁକ୍ତ ସାହୁ । ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଓଡ଼ିଶାରେ ଅନେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି, ବହୁ ଲୋକ ସଂକ୍ରମିତ ହୋଇ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । କରୋନାର ଏହି କରାଳ ରୂପକୁ ଉପଲବ୍ଧ କରି କିପରି କରୋନାର ତୃତୀୟ ଲହରରେ ପିଲାମାନେ ବିଶେଷ ପ୍ରଭାବିତ ନହେବେ, ସେ ନେଇ ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି କୁହନ୍ତି ପ୍ରତାପ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ