ଚାଷୀଙ୍କ ଅଭିଯୋଗ ପରେ ପିତାଶଙ୍ଖ ଭଙ୍ଗାଲୁହାଗେଟ ମରାମତି ହେଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):- ଜଳ ସମ୍ପଦ ବିଭାଗ ବ୍ରହ୍ମପୁର ଅଧୀନରେ ଥିବା ହିଞ୍ଜିଳି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ହିଞ୍ଜିଳି ସମେତ ଏହାର ଆଖପାଖ ତଳୁଆ ଅଞ୍ଚଳର କୃଷି ଓ କୃଷକଙ୍କ ବିକାଶ ପାଇଁ ଜଳ ସେଚନର ସୁଷମ ପରିଚାଳନା ସହ କୃଷି ଭିତ୍ତିକ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ପ୍ରତିକାର ସକାଶେ ସ୍ଥାପନ ହୋଇଛି।ହିଞ୍ଜିଳି ଜଳ ସେଚନ ଉପଖଣ୍ଡ ଅଧୀନରେ ଥିବା ହିଞ୍ଜିଳି,କୁକୁଡ଼ାଖଣ୍ଡି,ଗୌତମୀ ଓ ନରେନ୍ଦ୍ରପୁର ଜଳ ସେଚନ ବିଭାଗ ପକ୍ଷରୁ ଶହ ଶହ ହେକ୍ଟର ଚାଷ ଜମିର ସୁଷମ ଜଳ ପରିଚାଳନା ସକାଶେ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରାଯାଇଛି।ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁନରୁଦ୍ଧାର,ମରାମତି ଓ ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟମାନ ଦର୍ଶାଇ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆଧାରରେ ବହୁ ଲକ୍ଷ ଟଙ୍କାର କାର୍ଯ୍ୟ ସମ୍ପାଦନ କରାଯାଉଛି।ଅନ୍ୟାନ୍ୟ ୩ ଟି ବିଭାଗ ଅପେକ୍ଷା ହିଞ୍ଜିଳି ଜଳ ସେଚନ ବିଭାଗ ପକ୍ଷରୁ ବହୁ ଉନ୍ନୟନ ପ୍ରକଳ୍ପ ହାତକୁ ନିଆଯାଇଛି ଏବଂ ବିଭିନ୍ନ ସମୟରେ ବହୁ ଅନୁଦାନ ପାଣ୍ଠି ବିନିଯୋଗ ହୋଇ ବହୁ ଉନ୍ନୟନ ପ୍ରକଳ୍ପ ଚାଷୀଙ୍କ ହିତ ସାଧନରେ କାର୍ଯ୍ୟକାରୀ ହେଉଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଯେଉଁଠି ଚାଷୀମାନଙ୍କ ପ୍ରକୃତ ସମସ୍ୟା ସୃଷ୍ଟି ହେଉଛି ତାକୁ ସମାଧାନ କରିବାରେ ବିଭାଗର ତତ୍ପରତା ନାହିଁ।କିନ୍ତୁ ଉପରକୁ ସୁନ୍ଦର ଦିଶିବା ଭଳି ବିଭାଗ ପକ୍ଷରୁ ଉନ୍ନୟନ କାର୍ଯ୍ୟ ହେଉଥିବା ଦେଖାଯାଇଛି।ଏସବୁ କାର୍ଯ୍ୟ ଟେଣ୍ଡେର ପ୍ରକ୍ରିୟାରେ ହେଉ କିମ୍ବା ବିନା ଟେଣ୍ଡେର ପ୍ରକ୍ରିୟାରେ ହେଉ କିନ୍ତୁ ହିଞ୍ଜିଳି ଜଳ ସେଚନ ବିଭାଗ ପକ୍ଷରୁ ଏଭଳି ଅନିୟମିତତା ହେଉଥିବା ପ୍ରସଙ୍ଗ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିବା ନଜିର ରହିଛି।ବର୍ଷାୠତୁ ଆଗମନ ପୂର୍ବରୁଓ ଧାନ ରୁଆ ବେଳେ ଚାଷୀଙ୍କ ଜଳ ସେଚନର ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ରଖି ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଓ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି।କିନ୍ତୁ ଚାଷୀକୁଳଙ୍କ ଆବଶ୍ୟକତା ଅନୁସାରେ କାର୍ଯ୍ୟ ହେଉନଥିବା ଫଳରେ ବିଭାଗୀୟ ଅବହେଳାକୁ ଦାୟୀ କରାଯାଇଛି। ହିଞ୍ଜିଳି ଜଳସେଚନ ବିଭାଗରେ ବର୍ଷ ବର୍ଷ ଧରି ନିଜ ଗାଦି ମଜବୁତ କରିଥିବା ସହକାରୀ ଯନ୍ତ୍ରୀ ଚାଷୀଙ୍କ ବାସ୍ତବ ସମସ୍ୟା ସମାଧାନ କରିବାରେ କେତେ ଯେ ପାରଙ୍ଗମ ତାହା ଜୟମଙ୍ଗଳ ମୁଖ୍ୟ କେନାଲର ପିତାଶଙ୍ଖ ଆନିକଟ ଠାରେ ମଙ୍ଗଳବାର ଦେଖାଯାଇଛି। ବର୍ଷା ଯୋଗୁଁ ଉପର ମୁଣ୍ଡରୁ ଉକ୍ତ କେନାଲରେ ପ୍ରବାହିତ ହେଉଥିବା ସୀମିତ ପାଣି ସ୍ରୋତରେ ମଙ୍ଗଳବାର ପିତାଶଙ୍ଖରେ ଥିବା ୨ଟି ନିଷ୍କାସନ ଲୁହାଗେଟରୁ ଗୋଟିଏ ଗେଟ ବଙ୍କା ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।ଫଳରେ ତଳ ମୁଣ୍ଡରେ ଚାଷ କାମ ପାଇଁ ପାଣିର ଅଭାବ ସାମାନ୍ୟ ଦୂର ହୋଇଥିଲା ବେଳେ ଉପର ମୁଣ୍ଡରେ ଜଳ ସେଚନରେ ସମସ୍ୟା ସୃଷ୍ଟି ହୋଇଛି।ଅନାବୃଷ୍ଟି ଯୋଗୁଁ ସମସ୍ୟା ଉତ୍କଟ ଋପ ଧାରଣ କରିଥିବା ବେଳେ କେନାଲ ଗୁଡିକର ଆବଶ୍ୟକ ମୁତାବକ ସଫେଇ ହୋଇ ନ ଥିବା ଯୋଗୁଁ ଜଳ ସେଚନର ସମସ୍ୟା ବହୁ ଗୁଣିତ ହୋଇଥିବା ଅଞ୍ଚଳର ଚାଷୀଙ୍କ କ୍ଷୋଭ ଓ ଅସନ୍ତୋଷର ପ୍ରତିକ୍ରିୟାରୁ ଜଣାପଡିଛି।ପରେ ବୁଧବାର ବିଭାଗ ପକ୍ଷରୁ ଭଙ୍ଗା ଲୁହା ଗେଟକୁ ମରାମତି କରି କେନାଲରେ ପାଣି ଛଡ଼ାଯାଇଥିବା ଚାଷୀଙ୍କ ଠାରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ