ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ   ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।  ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରୁଛନ୍ତି। ବୁଣାକାରମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ଚାହିଦା ମଧ୍ୟ ବଢିବାରେ ଲାଗିଛି।କିନ୍ତୁ ମହାମାରୀ ଯୋଗୁ ଗତ ଦୁଇବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ହଜାର ହଜାର ବୁଣାକାରମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି । ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧିନରେ ପ୍ରାଥମିକତା ଭିତ୍ତିରେ House-cum-Work shed ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୧୧୬୯୫ଟି House-cum-Work shed ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି । ଲୁଗାବୁଣା ଏବଂ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି। ସେହିପରି ଡିଜାଇନ ପ୍ରସ୍ତୁତି ମଧ୍ୟ ଏକ ଜଟିଳ ପ୍ରକ୍ରିୟା। ତେଣୁ ବୁଣାକାର ମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡିବ ଏବଂ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ।ସେହିପରି ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ରାଜ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ।ଏହି ପ୍ୟାକେଜ ରେ ବୁଣାକାର ମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି।ବୁଣାକାର ମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ