ପଛୁଆବର୍ଗମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ରାଜ୍ୟସରକାର : ବିଜେପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟର ୫୨ ଭାଗରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଓବିସିମାନଙ୍କ ପ୍ରତି ଓ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରତି ରାଜ୍ୟସରକାରଙ୍କ ଆଦୌ ଆନ୍ତରିକତା ନାହିଁ । ରାଜ୍ୟ ସରକାର ଜାଣି ଜାଣି ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ।ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନିକଟରେ ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନଙ୍କ ତରଫରୁ ବିଭିନ୍ନ ସରକାରୀ ଚାକିରୀ ପ୍ରକାଶିତ ବିଜ୍ଞପ୍ତିରେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଥିବାର ଘୋଷଣା କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା ୪ ପ୍ରତିଶତରୁ ମଧ୍ୟ କମ୍ । ନିଯୁକ୍ତି ପାଇଁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଶିକ୍ଷା, ସ୍ୱାସ୍ଥ୍ୟ, ମତ୍ସ୍ୟ ଓ ପଶୁସଂପଦ ଆଦି ବିଭାଗରେ ସମୁଦାୟ ୭୬୩୩ଟି ପଦବୀ ମଧ୍ୟରୁ ମାତ୍ର ୨୮୮ଟି ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଉଲ୍ଲେଖ ରହିଛି । ଯାହାକି କେବଳ ୩.୭୭ ପ୍ରତିଶତ ଅଟେ । ଏଥିରୁ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାର ପଦାରେ ପଡିଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋଦି ସରକାର ୨୭ ଜଣ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱ ଦେଇଥିବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନଗଣ୍ୟ । ଓବିସି ବର୍ଗଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଉଦ୍ଦିଷ୍ଟ ଓବିସି ଡେଭେଲପମେଂଟ ଏଣ୍ଡ ଫାଇନାନ୍ସ କୋଅପରେଟିଭ କରପୋରେସନ ତରଫରୁ ଗତ ୨୦୦୮ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଜଣେ ବି ପଛୁଆ ବର୍ଗ ହିତାଧିକାରୀଙ୍କୁ ଋଣ କିମ୍ବା ଆର୍ଥିକ ସହାୟତା କାହିଁକି ପ୍ରଦାନ କରାଯାଉ ନାହିଁ । ଅନ୍ୟ ରାଜ୍ୟମାନେ ଏହି ଯୋଜନାର ସୁଲାଭ ତାଙ୍କ ରାଜ୍ୟବାସୀଙ୍କୁ ଯୋଗାଇ ଦେଉଥିବାବେଳେ ଓଡିଶା ସରକାର କାହିଁକି ବ୍ୟବସ୍ଥା କରୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ବହୁ ବିଳମ୍ବରେ ଗଠିତ ରାଜ୍ୟ ଓବିସି କମିଶନ କଣ କରୁଛି ? କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଦେବା ପରେ ରାଜ୍ୟ ସରକାର ଯେଉଁ ଓବିସି କମିଶନ ଗଠନ କଲେ, ସେ କମିଶନ ଓବିସିଙ୍କ କଲ୍ୟାଣ ପାଇଁ କଣ ସୁପାରିଶ କରିଛନ୍ତି ଏବଂ ରାଜ୍ୟ ସରକାର ସେହି ସବୁ ସୁପାରିଶକୁ କେତେ ଦୂର କାର୍ଯ୍ୟକାରୀ କରିଛନ୍ତି ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଜଣଙ୍କ ସାମ୍ବିଧାନିକ ଅଧିକାରରୁ ତାକୁ ଅଧିକ ଦିନ ବଂଚିତ କରି ରଖାଯାଇପାରିବ ନାହିଁ । ଯେତେ ଷଡଯନ୍ତ୍ର କଲେ ମଧ୍ୟ ଓବିସିବର୍ଗଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାରକୁ ରାଜ୍ୟ ସରକାର ସରକାର ରୋକି ପାରିବେ ନାହିଁ । ଦେଶର ଅଧିକାଂଶ ରାଜ୍ୟମାନଙ୍କରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଥିବାବେଳେ ଓଡିଶା ସରକାର ବିଭିନ୍ନ ସମୟରେ କୋର୍ଟ ଏବଂ କେନ୍ଦ୍ର ସରକାରଙ୍କୁ ଦୋଷ ଲଦି ଦେଇ ଖସିଯିବାର ପ୍ରୟାସ କରିଆସୁଛନ୍ତି । ରାଜ୍ୟ ସରକାର ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରି ତାଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି । ଓବିସିଙ୍କୁ ପ୍ରତାରଣା ଆଉ ସହ୍ୟ କରାଯିବ ନାହିଁ । ସେହି ଭଳି ରାଜ୍ୟର ଆର୍ଥିକ ଅନଗ୍ରସର (ଗରୀବ)ଙ୍କ ପାଇଁ ମୋଦି ସରକାର ଘୋଷଣା କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ସରକାର କାର୍ଯ୍ୟକାରୀ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ତ୍ୱରିତ ନିଷ୍ପତି ଗ୍ରହଣ ନକଲେ ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଯାଦବ ମହାସଂଘର ସାଧାରଣ ସଂପାଦକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଡାକ୍ତର ବେହେରା ଏବଂ ଗଣମାଧ୍ୟମ ବିଭାଗର ସୁଜିତ କୁମାର ଦାସ୍ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ