ଏକାଧିକ ସଂଗୀନ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ):ଏକାଧିକ ସଂଗୀନ ମାମଲାରେ ଅଭିଯୁକ୍ତ ଥିବା ଅପରାଧୀଙ୍କୁ ପୋଲିସ ଗିରଫ କରୁନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ତତ୍କାଳୀନ ପାଟକୁରା ଓ ଅଧୁନା କୁଦାନଗରୀ ଥାନା ଅଧିନ ବିଲବଳରାମପୁର ଗ୍ରାମର ଶୁକଦେବ ବିଶ୍ୱାଳଙ୍କ ପୁଅ ଚଗଲା ଓରଫ ସମୀରରଞ୍ଜନ ବିଶ୍ୱାଳ ଏକାଧିକ ସଂଗୀନ ମାମଲାରେ ଅଭିଯୁକ୍ତ ରହିଥିବା ବେଳେ ତାଙ୍କୁ ପୋଲିସ ଗିରଫ କରୁନଥିବା ନେଇ ଅଭିଯୋଗ ହୋଇଛି। ସେ ଜଣେ ଅଭ୍ୟାସଗତ ଅପରାଧୀ ଭାବେ ଗୋଟିଏ ପରେ ଗୋଟିଏ ଅପରାଧୀକ ଘଟଣା ଘଟାଇ ଚାଲିଥିବା ବେଳେ ପୋଲିସର କୋହଳ ମନୋଭାବ ପୋଷଣ ତାଙ୍କୁ ଅଧିକ ସୁହାଉଛି। ଏମିତିକି ସେହି ଅପରାଧୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା କୋର୍ଟ ଜାରି କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି। ତାଙ୍କ ଜାମିନ ଆବେଦନ (ବେଲ ଦରଖାସ୍ତ ନଂ-୬୫,୬୬/୨୦୨୨) କେନ୍ଦ୍ରାପଡା ଜିଲ୍ଲାଜଜଙ୍କ କୋର୍ଟରେ ନାକଚ ହୋଇଯାଇଛି। ଏଥିସହିତ କେନ୍ଦ୍ରାପଡା ସଦର ଥାନା କେଶ ନମ୍ବର- ୨୮୨ ଓ ଜି.ଆର. ନଂ-୧୩୨୫/୨୦୨୨ରେ ସମୀରରଞ୍ଜନ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଜି.ଆର. ନଂ- ୫୩୮/୨୦୧୪ରେ ସେ ଅନୁପସ୍ଥିତ ଥିବାରୁ ତାଙ୍କ ନାମରେ କୋର୍ଟରୁ ୱାରେଣ୍ଟ ଇସୁ କରାଯାଇଥିଲେବି ତାହାକୁ ପୋଲିସ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି। ଏହାବ୍ୟତିତ ତାଙ୍କ ନାମରେ ଜି.ଆର.କେଶନମ୍ବର- ୮୫୭/୨୦୧୧ କୋର୍ଟରେ ବିଚାରାଧିନ ରହିଛି। ସେହିପରି ସଂପୃକ୍ତ ଅପରାଧୀ ଜଣଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତ ଥିବାସହ କେନ୍ଦ୍ରାପଡା ବିଡିଓଙ୍କୁ କାର୍ଯ୍ୟରତ ସମୟରେ ମାଡମାରିବା ଭଳି ସଂଗୀନ ଅଭିଯୋଗମାନ ରହିଛି। ତେଣୁ ସଂପୃକ୍ତ ଅପରାଧୀଙ୍କୁ ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ ଦ୍ୱାରା ଗିରଫ କରାଯିବାକୁ ଏସପିଙ୍କ ନିକଟରେ ଦାବି କରାଯାଇଛି। ବିଭିନ୍ନ ସଂଗୀନ ମାମଲାରେ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ ହେବା ପରେ ତାଙ୍କୁ କୋର୍ଟରେ ହାଜର ପାଇଁ ବାରମ୍ବାର ସମନ ପଠାଯାଉଥିଲେ ମଧ୍ୟ ସଂପୃକ୍ତ ଅପରାଧୀ କୋର୍ଟରେ ଅନୁପସ୍ଥିତ ରହୁଛନ୍ତି। ଏକାଧିକ ମାମଲାରେ କୋର୍ଟରେ ଅନୁପସ୍ଥିତ ରହୁଥିବା ଯୋଗୁଁ ତାଙ୍କ ନାମରେ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। କିନ୍ତୁ ପୋଲିସ ସେହି ଅପରାଧୀଙ୍କୁ ଗିରଫ କରୁନଥିବାରୁ ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ସଂପୃକ୍ତ ଅଭିଯୁକ୍ତଙ୍କ ଯୋଗୁ ସାଧାରଣ ଲୋକଙ୍କ ଜୀବନ ବିପଦରେ ରହିଛି। ତାଙ୍କୁ ଗିରଫ କରିବାରେ ପୋଲିସର ଉଦାସୀନତାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏସଂକ୍ରାନ୍ତରେ ଅତିରିକ୍ତ ଏସପି ସୁଧାକର ସାହୁଙ୍କୁ ପଚାରିବାରୁ ସେ କହିଲେ ତୁରନ୍ତ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ। ସଂପୃକ୍ତ ଥାନା ପୋଲିସ କାହିଁକି ଏତେଦିନ ଧରି ଗିରଫ କରୁନି ତାହାର ତଦନ୍ତ ହେବ।


